Odisha Link
Bridging the Missing Links in Odisha

ହିନ୍ଦୋଳରୁ ପାଣ୍ଡିଆନଙ୍କ ଟାର୍ଗେଟ; କହିଲେ-ମିଛ କହିବାରେ ଟିକେ ସୀମା ରଖନ୍ତୁ ବିରୋଧୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଛି। ଏସବୁ ଭିତରେ ହିନ୍ଦୋଳ ଗସ୍ତରେ ଯାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ହିନ୍ଦୋଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ନିର୍ବାଚନ ବେଳେ କେତେ ନେତା ଆସିବେ ଭୋଟ ମାଗିବେ, ମିଛ ପ୍ରତିଶୃତି ଦେବେ। ତା’ପରେ ଆପଣ ମାନେ ତାଙ୍କୁ ଖୋଜିବେ ଆଉ ପାଇବେନି। ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ଖବର ରହିଥିବାବେଳେ ଆଜି ବି ୫ ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ପାରିନାହିଁ। ବିଜେପିର ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର ଥିଲା କିନ୍ତୁ ନେତାଙ୍କ ମଧ୍ୟରେ ଝଗଡ଼ା କାରଣରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରିଲା ନାହିଁ। ଏହା ସହ ସେ ସିଧାସଳଖ ବିଜେପିକୁ ଟାର୍ଗେଟ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଆହ୍ୱାନ କରିଛନ୍ତି।

ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ବହୁତ ବଡ଼ ବଡ଼ ନେତା ଆସିବେ, ସେହି ଟୁରିଷ୍ଟ ନେତାଙ୍କ କଥାକୁ ବିଶ୍ବାସ କରନ୍ତୁନି। ମିଠା ମିଠା କଥା କହିବେ ଆଉ ପ୍ରତିଶ୍ରୁତି ପାଳନ ନକରି ଚାଲିଯିବେ। ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲା କେନ୍ଦ୍ର ସରକାର। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା। ଓଡ଼ିଶାରେ ୮୦ ଲକ୍ଷ ଲୋକ ରୋଜଗାର ପାଇବା କଥା। ହେଲେ କିଛି ହୋଇନି ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଯେମିତି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି କରୁଛନ୍ତି ସେତିକି ଅବସ୍ଥା ହୋଇ ହାରିବେ। କେନ୍ଦ୍ରମନ୍ତ୍ରୀଙ୍କୁ ଉଚିତ୍‌ ଜବାବ ଦେବେ ହିନ୍ଦୋଳବାସୀ। ମିଛ କହିବାରେ ଟିକେ ସୀମା ରଖନ୍ତୁ ବୋଲି ବିରୋଧୀଙ୍କୁ କହିଛନ୍ତି ଭି.କେ ପାଣ୍ଡିଆନ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି। ଆଗାମୀ ଜୁନ୍‌ ୯ ତାରିଖରୁ ମାଗଣା ବିଜୁଳି ମିଳିବ। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ଓଡ଼ିଶାର ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ ଦେବାକୁ ପଡ଼ିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.