Odisha Link
Bridging the Missing Links in Odisha

ଭୋଟ ଗଣତି ପୂର୍ବରୁ ନିଜକୁ ବିଜୟୀ ଘୋଷଣା କଲେ କଂଗ୍ରେସ ସାଂସଦ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଦ୍ବିତୀୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶାବାସୀ। ଚଳିତ ଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଭୋଟ ଗଣତି ଜୁନ୍‌ ୪ ତାରିଖରେ ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ତାର ଫଳାଫଳ ଜୁନ୍‌ ୪ ତାରିଖରେ ଆସିବ। ହେଲେ ତା ପୂର୍ବରୁ ନିଜକୁ ବିଜୟୀ ଘୋଷଣା କରିଛନ୍ତି କୋରାପୁଟ ସଂସଦୀୟ କ୍ଷେତ୍ରର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ। ମୋର ବୁଥ୍ ଏଜେଣ୍ଟ ଏବଂ ଅନ୍ୟାନ୍ୟ ରିପୋର୍ଟ ଅନୁଯାୟୀ, ମୁଁ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ନିର୍ବାଚନମଣ୍ଡଳୀରେ ଭଲ ମାର୍ଜିନ ସହ ଜିତିଛି ଏବଂ ଆଗୁଆ ଅଛି। ଭୋଟ ଗଣତି ହୋଇନଥିବା ବେଳେ ସପ୍ତଗିରି ଉଲାକାଙ୍କ ଏହି ପୋଷ୍ଟଟି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କୋରାପୁଟ ସଂସଦୀୟ କ୍ଷେତ୍ରରୁ ଚଳିତ ଥର ନିର୍ବାଚନ ଲଢ଼ିଛନ୍ତି ସପ୍ତଗିରି ଉଲାକା। ସେହିପରି ବିଜେଡି ପକ୍ଷରୁ କୌଶଲ୍ୟା ହିକ୍କା ନିର୍ବାଚନ ଲଢ଼ିଥିବା ବେଳେ ବିଜେପି ପକ୍ଷରୁ କାଳୀରାମ ମାଝୀ ନିର୍ବାଚନ ଲଢ଼ିଛନ୍ତି। ମୁଖ୍ୟତଃ କୋରାପୁଟରେ ତ୍ରୀମୁଖି ଲଢ଼େଇ ଦେଖିବାକୁ ମିଳିଥାଏ। ତେବେ ସପ୍ତଗିରିଙ୍କ ଭବିଷ୍ୟବାଣୀ ସତ୍ୟ ହେଉଛି ନା ନାଇଁ ଜୁନ୍‌ ୪ ତାରିଖରେ ସ୍ପଷ୍ଟ ହୋଇଯିବ।

ସୂଚନାଥାଉକି, ମେ’ ୧୩ ତାରିଖରେ ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ବ୍ରହ୍ମପୁର, କଳାହାଣ୍ଡି, କୋରାପୁୁଟ ଓ ନବରଙ୍ଗପୁରରେ ନିର୍ବାଚନ ହୋଇଥିଲା। ନବରଙ୍ଗପୁରରରେ ସର୍ବାଧିକ ୮୨.୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରରେ ସର୍ବନିମ୍ନ ୬୫.୪୧ ପ୍ରତିଶତ ମତଦାନ ହୋଇଥିଲା। ସେହିପରି କଳାହାଣ୍ଡିରେ ୭୭.୯୦ ପ୍ରତିଶତ, କୋରାପୁଟରେ ୭୭.୫୩ ପ୍ରତିଶତ ମତଦାନ ହୋଇଥିଲା।

ଯଦି ଆମେ କୋରାପୁଟ ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ଆସନ କଥା କହିବା ତେବେ ୭ଟି ନିର୍ବାଚନ ମଣ୍ଡଳୀ ରହିଛି। ବିଷମ କଟକରେ ୭୮.୫୦%, ଗୁଣପୁରରେ ୭୨.୫୫%, ଜୟପୁରରେ ୭୭.୮୨%, କୋରାପୁଟରେ ୭୬.୩୪%, ଲକ୍ଷ୍ମୀପୁରରେ ୮୧.୭୨%, ପଟ୍ଟାଙ୍ଗୀରେ ୮୨.୪୭% ଓ ରାୟଗଡ଼ରେ ୭୫.୨୦ ପ୍ରତିଶତ ମତଦାନ ହୋଇଛି।

Leave A Reply

Your email address will not be published.