ସେମାନେ କ୍ଷମତାକୁ ଆସିଲେ ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ: ମୋଦି
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମେ’ ୨୦ ତାରିଖରେ ୫ମ ପର୍ଯ୍ୟାୟ ମତଦାନ ହେବ। ଯାହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ଆଜି କରିଛନ୍ତି ବଡ଼ ଦାବି। ଜନସଭାକୁ ସମ୍ବୋଧିତ କରି ପିଏମ୍ ମୋଦି କହିଛନ୍ତି, ଯଦି କଂଗ୍ରେସ ଓ ସମାଜବାଦୀ ପାର୍ଟି ଜିତିବେ ତାହାଲେ ସେମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ ବୋଲି କହିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି।
ଆଜି ଉତ୍ତର ପ୍ରଦେଶର ବାରବାଙ୍କୀରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ନରେନ୍ଦ୍ର ମୋଦି। ସେ କହିଛନ୍ତି, କେନ୍ଦ୍ରରେ ଏନଡିଏ ସରକାର ହ୍ୟାଟ୍ରିକ ମାରିବାକୁ ଯାଉଛି। ନୂଆ ସରକାରରେ ଗରିବ, ଯୁବଗୋଷ୍ଠୀ, ମହିଳା ଓ ଚାଷୀଙ୍କ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନିଆଯିବ। ଖାସ୍ ସେଥିପାଇଁ ବାରବାଙ୍କୀ ଓ ମୋହନଲାଲଗଞ୍ଜର ଆଶୀର୍ବାଦ ନେବାକୁ ଆସିଛି ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି, ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ରାମ ନବମୀ ଦିନ କହିଥିଲେ ଯେ ରାମ ମନ୍ଦିର ପୂରା ବେକାର। ସମାନ ସମୟରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ରାମ ମନ୍ଦିର ରାୟକୁ ବଦଳାଇବାକୁ ଚେଷ୍ଟା କରୁଥିଲା। ସେମାନଙ୍କ ପାଇଁ କେବଳ ପରିବାର ଓ କ୍ଷମତା ଗୁରୁତ୍ୱବହନ କରେ। ଯଦି ସପା-କଂଗ୍ରେସ କ୍ଷମତାକୁ ଆସିବେ, ତା’ହେଲେ ରାମ ଲଲାଙ୍କୁ ପୁଣି ଟେଣ୍ଟକୁ ପଠାଇ ଦେବେ। ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ ବୋଲି ମୋଦି କହିଛନ୍ତି।
ମୋଦି ଆହୁରି କହିଛନ୍ତି, ଏଥିପାଇଁ ଆପଣମାନଙ୍କ ପାଖରେ ଏକମାତ୍ର ବିକଳ୍ପ ହେଉଛି ପଦ୍ମ। କ’ଣ ଆପଣମାନେ ୧୦୦ ସିସିର ଇଞ୍ଜିନରେ ୧୦୦୦ ସିସିର ସ୍ପିଡ ପାଇପାରିବେ? ଯଦି ଆପଣମାନେ ଦ୍ରୁତ ବିକାଶ ଚାହୁଁଛନ୍ତି, ତା’ହେଲେ ଗୋଟିଏ ସଶକ୍ତ ସରକାର ହିଁ ଏହା କରିପାରିବ। କେବଳ ବିଜେପି ହିଁ ଦ୍ରୁତ ବିକାଶ କରିପାରିବ।