ଇଭିଏମ୍ ତ୍ରୁଟି: ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଆଜି ରାଜ୍ୟର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ମତଦାନ। ୭୯,୬୯,୮୮୭ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାରି ଭିତରେ କିଛି ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩, ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା। ସୁନ୍ଦରଗଡ଼ ୨୧୧ନଂ ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ରହିଛି। ଅନ୍ୟପଟେ ସାନଖେମୁଣ୍ଡିର ବୁଥ୍ ନମ୍ବର ୪୫୭ ଓ ୪୮ରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା।