ବରଗଡ଼ରେ ଚାଲିଛି ମତଦାନ, ସ୍ପଷ୍ଟ ଦିବାଲୋକରେ ଘଟିଲା ଜଘନ୍ୟକାଣ୍ଡ
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୩୭.୭୩ ପ୍ରତିଶତ ମତଦାନ ଗ୍ରହଣ ହୋଇଛି। ଲଦାଖରେ ସର୍ବାଧିକ ୫୨.୦୨ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।
ସେହିଭଳି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୩୪.୩୮ ପ୍ରତିଶତ, ବରଗଡ଼ରେ ୩୮.୧୮ ପ୍ରତିଶତ, ବଲାଙ୍ଗୀରରେ ୩୨.୮୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ ମତଦାନ ହୋଇଛି।
ଏସବୁ ଭିତରେ ବରଗଡ଼ ସଦର ବ୍ଲକ ସରସରା ଗାଁରେ ସୋମବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସରସରାର ବିଶ୍ବନାଥ ମେହେର୍ଦ୍ଦା ବୋଲି ସୂଚନା ମିଳିଛି। କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସ୍ପି ପି.ଏସ୍ ମୀନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଆଜି ଛୁରା ମାଡ଼ରେ ଜଣକର ମୃତ୍ୟୁ ଘଟିଛି। ମତଦାନ ଚାଲିଥିବା ବେଳେ ମତଦାନ କେନ୍ଦ୍ରର କିଛି ଦୂରରେ ଦୁଇ ଯୁବକଙ୍କ ମଧ୍ୟରେ କଥା କଟା କଟି ହୋଇ ଛୁରା ମାଡ଼ ହୋଇଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରୁଛନ୍ତି। ତେବେ ସେଠାରେ ସଶସ୍ତ୍ର ପୁଲିସଙ୍କ ଉପସ୍ଥିତିରେ ମତଦାନ ଚାଲିଛି।