Odisha Link
Bridging the Missing Links in Odisha

ମହାପ୍ରଭୁ ଓ ମୋଦିଙ୍କ ସମ୍ପର୍କିତ ମନ୍ତବ୍ୟକୁ ନେଇ ଦୃଢ଼ ନିନ୍ଦା: କ୍ଷମା ମାଗିଲେ ବିଜେପି ନେତା

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ’ କରିଥିଲେ। ତାଙ୍କ ସାଥିରେ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ, ଯାହା କେବଳ ରାଜ୍ୟ ରାଜନୀତିକୁ ସରଗରମ କରିନି ବରଂ ପୁର ପଲ୍ଳୀରେ ଚର୍ଚ୍ଚା ହେଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିଥିଲେ। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦା କରିଥିଲେ।

ଏହି ଘଟଣା ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ସହ କ୍ଷମାପ୍ରାର୍ଥନା କଲେ ସମ୍ବିତ ପାତ୍ର। ଜଗନ୍ନାଥଙ୍କ ସମ୍ପର୍କରେ ମନ୍ତବ୍ୟକୁ ନେଇ କ୍ଷମାପ୍ରାର୍ଥନା ସହ ପଶ୍ଚତାପ କରିଛନ୍ତି। ନିଜ ଭୁଲ ପାଇଁ ମହାପ୍ରଭୁଙ୍କ ପାଖରେ ଦଣ୍ଡବତ ହୋଇ କ୍ଷମା ମାଗୁଛି। ଭୁଲର ପଶ୍ଚତାପ ପାଇଁ ୩ ଦିନ ଉପବାସ କରିବେ ବୋଲି ସେ କହିଛନ୍ତି। ମିଡିଆରେ ଭୁଲବଶତଃ ମୋଦିଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ କରିଥିବା କହିଛନ୍ତି। ଜଗନ୍ନାଥଙ୍କ ଭକ୍ତ ମୋଦି କହିବା ବଦଳରେ ମୋଦିଙ୍କ ଭକ୍ତ ଜଗନ୍ନାଥ କହିଥିଲି। ଏନେଇ ସେ କ୍ଷମା ପ୍ରାର୍ଥନା କରିବା ସହ ରାଜନୈତିକ ଚର୍ଚା ବନ୍ଦ କରିବାକୁ ନିବେଦନ କରିଛନ୍ତି।

https://x.com/sambitswaraj/status/1792636303030272340

ସୂଚନା ଅନୁସାରେ, ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନବୀନ ପଟ୍ଟନାୟକ ଲେଖିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ। ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଓ ବିଶ୍ୱାସକୁ କ୍ଷତାକ୍ତ କରିଛି। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ପ୍ରତିକ। ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। ମୁଁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ବିଜେପିକୁ ଅପିଲ କରୁଛି। ଏହା କରି ଆପଣ ଓଡ଼ିଆ ଅସ୍ମିତାକୁ ଗଭିର ଭାବରେ ଆଘାତ ପହଞ୍ଚାଇଛନ୍ତି। ଯାହା ଓଡ଼ିଶାବାସୀ ଦୀର୍ଘଦିନ ପାଇଁ ମନେ ରଖିବେ ଆଉ ନିନ୍ଦା କରିବେ।

ଅନ୍ୟପଟେ ସମାଲୋଚନାର ଶିକାର ହୋଇଥିବା ସମ୍ବିତ ପାତ୍ର କ୍ଷମା ମାଗିଛନ୍ତି। ସମ୍ବିତ ପାତ୍ର ଏକ୍ସରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପୁରୀ ଆଗମନ ଅବସରରେ ପୁରୀ ବଡଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା କରିଥିଲି। ଏହି ଜନସମୁଦ୍ର ମଧ୍ୟରେ ଜଣେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା ସମୟରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି” ବଦଳରେ ଭୁଲରେ ମୋଦିଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା। ସ୍ୱାଭାବିକ ଭାବେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ଭକ୍ତ। ବଡ ଠାକୁର ଶ୍ରୀ ଜଗନ୍ନାଥ ଆମ ମୁରବୀ। ଏହି ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ହେବ।

Leave A Reply

Your email address will not be published.