Odisha Link
Bridging the Missing Links in Odisha

“ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ”

ଓଏଲ୍‌ ବ୍ୟୁରୋ: ଆଉ ଦୁଇ ଦିନ ପରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଯାହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ରାଜ୍ୟ ରାଜନୀତିର ହଟସ୍ପଟ୍‌ ଭାବେ ପରିଚିତ ୬ ସଂସଦୀୟ କ୍ଷେତ୍ରରେ ହେବ ମତଦାନ। ସେ ମଧ୍ୟରୁ ପୁରୀ ଲୋକସଭା ଆସନ ଅନ୍ୟତମ। ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଆଜି ପୁରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହିତ ନିର୍ବାଚନୀ ସଭାରେ ବିଜେଡିର ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ ଦେଇଛନ୍ତି ବଡ଼ ପ୍ରତିକ୍ରିୟା ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି।

ପୁରୀର ତାଳବଣିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ଏହି ସ୍ୱପ୍ନକୁ ସାକାର କରିବାକୁ ପୁରୀବାସୀ ସମସ୍ତେ ସାମିଲ ହୁଅନ୍ତୁ। ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ। ପୁରୀକୁ ନିବେଶର ସୁଅ ଛୁଟିବ। ଆଗାମୀ ଦିନରେ ପୁରୀ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ହେବ। ଏହି ସ୍ୱପ୍ନକୁ ସାକାର କରିବାକୁ ହେଲେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ।

ସେ ଆହୁରି କହିଛନ୍ତିି ଯେ ପୁରୀରେ ଅନେକ ମଧ୍ୟବିତ୍ତ ପରିବାର ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍‌କେଓ୍ବାଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ।

Leave A Reply

Your email address will not be published.