Odisha Link
Bridging the Missing Links in Odisha

କଣ୍ଟାମାଳ ବିଧାନସଭା ଆସନ: ଆସନ୍ତାକାଲି ୨ଟି ବୁଥରେ ହେବ ପୁନଃ ମତଦାନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଆସନର ଦୁଇଟି ବୁଥରେ ପୁନଃ ମତଦାନ ହେବ। ବିଜେପି ଏହାକୁ ନେଇ ଦାବି କରିବାର କିଛି ଘଣ୍ଟା ପରେ ନିର୍ବାଚନ କମିଶନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ଆସନ୍ତାକାଲି ତାରିଖରେ ପୁନଃ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପୁନଃମତଦାନ ଆଦେଶ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୁଇଟି ବୁଥରେ ମତଦାନ ହେବ। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ୍ ର ଭୋଟରଙ୍କୁ ପୁନଃମତଦାନ ସମ୍ପର୍କରେ ଅବଗତ କରାଇବାକୁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପିର ଅଭିଯୋଗ କରିଛି ଯେ ମେ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୯ ନମ୍ବର ବୁଥ୍ କୁ ବିଜେଡି କର୍ମୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡାମାନେ ଦଖଲ କରିଥିଲେ। ଏହା ପରେ ଘଟଣାର ତଦନ୍ତ କରି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଥ୍ ନମ୍ବର-୨୬ ଓ ବୁଥ୍ ନମ୍ବର-୨୮ରେ ପୁନଃ ମତଦାନ ହେବ। ଆସନ୍ତାକାଲି(୨୩ ତାରିଖ) ଉଭୟ ବୁଥ୍‌ରେ ପୁନଃ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି।

Leave A Reply

Your email address will not be published.