କଣ୍ଟାମାଳ ବିଧାନସଭା ଆସନ: ଆଜି ୨ଟି ବୁଥ୍ରେ ଚାଲିଛି ପୁନଃ ମତଦାନ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଆସନର ଦୁଇଟି ବୁଥରେ ପୁନଃ ମତଦାନ ହୋଇଛି। ବିଜେପି ଏହାକୁ ନେଇ ଦାବି କରିବାର କିଛି ଘଣ୍ଟା ପରେ ନିର୍ବାଚନ କମିଶନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦେଶ କ୍ରମେ ବୌଦ୍ଧ କଣ୍ଟାମାଳର ୨ଟି ବୁଥ୍ରେ ସାନି ମତଦାନ ଚାଲିଛି। ବୁଥ୍ ନମ୍ବର ୨୬ ଓ ୨୮ରେ ପୁନଃ ମତଦାନ କରାଯାଉଛି। ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ବୌଦ୍ଧ କଣ୍ଟାମାଳର ୨ଟି ବୁଥ୍ରେ ୨୦ରେ ନିର୍ବାଚନୀ ହିଂସା ପାଇଁ ହୋଇ ପାରିନଥିଲା ଭୋଟିଂ। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଥିଲେ ଯେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ୨୩ ତାରିଖରେ ପୁନଃ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ପୁନଃମତଦାନ ଆଦେଶ ଜାରି କରାଯାଇଥିଲା।
ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୁଇଟି ବୁଥରେ ମତଦାନ ହେବ। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ୍ ର ଭୋଟରଙ୍କୁ ପୁନଃମତଦାନ ସମ୍ପର୍କରେ ଅବଗତ କରାଇବାକୁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।