ପ୍ରଚୁର ପାଣି ପିଅନ୍ତୁ, ୪ ଜୁନ୍ରେ ପାଖରେ ପାଣି ରଖି ବସନ୍ତୁ; ଏଭଳି କାହିଁକି କହିଲେ ପ୍ରଶାନ୍ତ କିଶୋର

ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ୬ଷ୍ଠ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ହେଉଛି ପ୍ରଚାରର ଶେଷଦିନ। ନିର୍ବାଚନ ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ। ହେଲେ ଏବେଠୁ ଲୋକସଭା ନିର୍ବାଚନ ପରିଣାମକୁ ନେଇ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଦେଇଥିବା ବୟାନକୁ ନେଇ ସବୁଠି ଚର୍ଚ୍ଚା ଲାଗିଛି। ଏସବୁ ମଧ୍ୟରେ ସେ ଏକ ଟ୍ବିଟ୍ କରିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ନିକଟରେ କହିଥିଲେ ଯେ ଚଳିତ ନିର୍ବାଚନରେ ଏନଡିଏକୁ ୩୦୩ କିମ୍ବା ତାଠୁ ଅଧିକ ଆସନ ମିଳିବ ବୋଲି କହିଥିଲେ। ପ୍ରଶାନ୍ତଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବିରୋଧୀ ପ୍ରଶ୍ନ କରିଛନ୍ତି। ଯାହାର ଜବାବ ପ୍ରଶାନ୍ତ ଦେଇଛନ୍ତି।
ନିର୍ବାଚନ ଫଳାଫଳକୁ ନେଇ ପ୍ରଶାନ୍ତ କିଶୋର କରିଥିବା ଭବିଷ୍ୟବାଣୀକୁ ନେଇ ବିରୋଧୀ, ରାଜନୀତି ସମିକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି। ତାକୁ ପାଲଟା ଜବାବ ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ପାଣି ପିଇବା ଭଲ। କାରଣ ପାଣି ପିଇବା ଦ୍ବାରା ମସ୍ତିସ୍କ ଓ ଶରୀର ହାଇଡ୍ରେଟେଡ ରୁହେ। ଯେଉଁ ଲୋକମାନେ ଚଳିତ ନିର୍ବାଚନ ଫଳାଫଳକୁ ନେଇ ଆକଳନ କରୁଛନ୍ତି ସେମାନେ ଜୁନ୍ ୪ ତାରିଖରେ ନିଜ ପାଖରେ ପ୍ରଚୁର ପାଣି ରଖିବା ଉଚିତ୍। ଏଭଳି କିଛି କଟାକ୍ଷ କରିଛନ୍ତି ପ୍ରଶାନ୍ତ କିଶୋର।
ନିକଟରେ ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଥିଲେ ଯେ, ମୋଦିଙ୍କ ନେତୃତ୍ବରେ ପୁଣିଥରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ। ହେଲେ ଚଳିତ ନିର୍ବାଚନରେ ବିଜେପି ନିଜ ଦମରେ ୩୭୦ ସିଟ୍ ଜିତିବା ଅସମ୍ଭବ। ଭାରତୀୟ ଜନତା ପାର୍ଟି ୩ ଶହ ପାଖାପାଖି ସିଟ୍ ଜିତିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ନରେନ୍ଦ୍ର ମୋଦି କେବଳ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ୪୦୦ ପାର ନାରା ଦେଉଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଥିଲେ।
ସେ ଆହୁରି କହିଥିଲେ ଯେ ବିଜେପି ୨୭୦ରୁ କମ୍ ସିଟ୍ ଜିତିବନି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ଏନଡିଏ ୩୦୩ ପାଖାପାଖି ସିଟ୍ ଜିତିବ। ଖାସ୍ କରି ବିଜେପି ଉତ୍ତର ଏବଂ ପଶ୍ଚିମ କ୍ଷେତ୍ରରେ କ୍ଷତି ସହିବ। ଦକ୍ଷିଣ ଏବଂ ପୂର୍ବ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ବିହାର, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜେପିର ସିଟ୍ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ଅନ୍ୟପଟେ ରାଜନୈତିକ ସମୀକ୍ଷକ ଯୋଗେନ୍ଦ୍ର ଯାଦବ ପ୍ରଶାନ୍ତି କିଶୋରଙ୍କ କଥାକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଚଳିତ ନିର୍ବାଚନରେ ବିଜେପିକୁ ୨୭୨ ସିଟ୍ ମିଳିବ ନା ନାହିଁ ତାହା ସନ୍ଦେହ। ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଗଣିତରୁ ଏଭଳି କହୁଛନ୍ତି। ସେ କହୁଛନ୍ତି କି ରାମ ମନ୍ଦିର ଏକ ପ୍ରସଙ୍ଗ ନୁହେଁ। ମୋଦିଙ୍କ ଛବି ଧିରେ ଧିରେ ମଳିନ ପଡ଼ୁଛି। ଏସବୁ କହିବା ପରେ ବି ସେ କିଭଳି ଏନଡିଏ ୩୦୦ ପାର କରିବ ବୋଲି କହୁଛନ୍ତି ବୋଲି ଯୋଗେନ୍ଦ୍ର କହିଛନ୍ତି। ସେ ଆହୁରି କହିଥିଲେ ପ୍ରଶାନ୍ତଙ୍କ କଥାରେ ମୁଁ ସହମତ ନୁହେଁ।
ଚଳିତ ନିର୍ବାଚନରେ କିଛି ରାଜ୍ୟରେ ବିଜେପି କ୍ଷତି ସହିବ ନିଶ୍ଚୟ। ବିଶେଷକରି ବିହାରରେ ବିଜେପିକୁ କ୍ଷତି ହେବ। ଅତିକମ୍ରେ ୧୫ରୁ ଅଧିକ ଆସନରେ ହାରିବ ବୋଲି କହିଛନ୍ତି ଯୋଗେନ୍ଦ୍ର। ପଶ୍ଚିମବଙ୍ଗରେ ବିଜେପି ଓ ଟିଏମ୍ସି ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ତେଲେଙ୍ଗାନାରେ ଚଳିତ ନିର୍ବାଚନରେ ବିଆରଏସ୍ ଥଣ୍ଡା ପଡ଼ିଯାଇଛି। ଚଳିତ ନିର୍ବାଚନରେ ବିଜେପିକୁ ବହୁତ ଆସନରେ ବହୁମତ ମିଳିବ ନାହିଁ ବୋଲି ସେ କହିଥିଲେ।