କମ୍ପୁଛି ନିର୍ବାଚନୀ ମୈଦାନ, ଆଜି କେନ୍ଦ୍ରାପଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଯୋଗଦେବେ। ପରେ ଦିନ ୧୨ଟାରେ ରାହାମ୍ବା ଏବଂ ୧୨ଟା ୫୫ମିନିଟରେ ଜଗତସିଂହପୁରରେ ନିର୍ବାଚନୀ ସଭାରେ ଯୋଗଦେବେ।
ସେହିପରି ବରିଷ୍ଠ ବିଜେଡି ନେତା ଭି.କେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଦିନ ତମାମ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରିବା ସହ ବିଭିନ୍ନ ଜନସଭାରେ ଏବଂ ରୋଡ ସୋରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଆସନ୍ତା ୨୯ରେ ନରେନ୍ଦ୍ର ମୋଦି ପୁଣି ଓଡିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।