ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଗଲାଣି ୫୦ରୁ ଅଧିକ ଜୀବନ
![](https://www.odishalink.com/wp-content/uploads/2024/05/kedarnath.jpg)
ଓଏଲ୍ ବ୍ୟୁରୋ: ଚାରି ଧାମ ଯାତ୍ରା ପାଇଁ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚାରି ଧାମ ଯାତ୍ରା ଆରମ୍ଭ ଦିନରୁ ଏପର୍ଯ୍ୟନ୍ତ ୧୧ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଂଚି ସାରିଥିବାବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ଭିଡ଼କୁ ନଜରରେ ମୁଖ୍ୟମନତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ପଞ୍ଜିକରଣକୁ ବନ୍ଦ କରି ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୩୧ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରା ପାଇଁ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି। ତେବେ ଏମାନଙ୍କ ମଧ୍ୟରୁ ମାତ୍ରାଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଯାତ୍ରା କରୁଥିବା ସୂଚନା ରହିଛି। ତେବେ ଆସନ୍ତା ୩୧ ତାରିଖ ପରେ ପଞ୍ଜିକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥିବାବେଳେ ସବୁଠୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ପୀଠରେ ଦେଖିବାକୁ ମିଳିଛି। ସର୍ବାଧିକ ୪ ଲକ୍ଷ ୬୭ ହଜାର ବାବା କେଦାରନାଥଙ୍କ ଦର୍ଶନ କରିଥିବାବେଳେ ଅଢେଇ ଲକ୍ଷ ଶ୍ରଦ୍ଧାଳୁ ବଦ୍ରୀନାଥଙ୍କ ପୀଠରେ ଦର୍ଶନ କରିଛନ୍ତି। ସେହିଭଳି ଯମୁନୋତ୍ରୀରେ ୧ ଲକ୍ଷ ୯୭ ହଜାର ଓ ଗଙ୍ଗୋତ୍ରୀରେ ୧ ଲକ୍ଷ ୯୧ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିବା ସୂଚନା ରହିଛି।
ଅନ୍ୟପଟେ, କିଛି ଦିନ ଆରମ୍ଭ ହୋଇଥିବା କେଦାରନାଥ ଧାମ ଯାତ୍ରା ସମୟରେ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏ ସମସ୍ତଙ୍କ ମୃତ୍ୟୁ ହାଇପୋଥର୍ମିଆ ଏବଂ ହୃଦଘାତ ହେତୁ ହୋଇଥିବା କୁହାଯାଉଛି। ଚାରିଧାମ ଯାତ୍ରା ସମୟରେ ଯେଉଁମାନଙ୍କର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି ସେମାନଙ୍କ ପୂର୍ବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିବା ଡାକ୍ତରି ପରୀକ୍ଷାରୁ ଜଣାପଡ଼ିଛି।