Odisha Link
Bridging the Missing Links in Odisha

ଚିଲିକା ବିଧାୟକଙ୍କ ଗିରଫଦାରୀକୁ ନେଇ ଥମୁନି ବିବାଦ, ମୁହଁ ଖୋଲିଲେ ଅପରାଜିତା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି।

ଏହି ଘଟଣାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଘଟଣା ଦିନର ସିସିଟିଭି ସାର୍ବଜନୀନ କରିବି। ଘଟଣା ପରେ ବୁଥ ଯାଇଥିଲି, ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା କେହି ଅଭିଯୋଗ କଲେନି। ସିସିଟିଭି ଫୁଟେଜ ଯାଞ୍ଚ ନ କରି ଜଣେ ବିଧାୟକଙ୍କୁ ଗିରଫ କରାଗଲା। କେଉଁ ପ୍ରକାର ଆଇନ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଦାୟୀ। ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସିସିଟିଭି ଫୁଟେଜ ମୋତେ ହସ୍ତଗତ ହୋଇଛି। ଇଭିଏମ୍ ଭାଙ୍ଗିବାରେ ଜଗଦ୍ଦେବଙ୍କ ଭୂମିକା ହିଁ ନାହିଁ। ଜଣେ ବିଜେଡି କର୍ମୀଙ୍କ ଅଡିଓ ମୋ ପାଖରେ ଅଛି। ଜଗଦ୍ଦେବଙ୍କ ଭୂମିକା ନଥିବା ସେ ମଧ୍ୟ କହୁଛନ୍ତି। ଦୁଇ ତିନି ଘଣ୍ଟା ଭିତରେ ସିସିଟିଭି ଫୁଟେଜ ସାର୍ବଜନୀନ କରିବି। ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ପଦକ୍ଷେପ କଣ, ପାତର ଅନ୍ତର କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସୂଚନା ମୁତାବିକ, ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ଏହି କ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଭୋଟ୍‌ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୁଲିସ କ୍ୟାମ୍ପସରେ ଅଟକ ରଖିଥିଲା। ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.