Odisha Link
Bridging the Missing Links in Odisha

ଆସନ୍ତାକାଲି ଚକରେ ଲାଗିବ ଅଖ, ନିୟମ ଅନୁସାରେ ଚାଲିଛି ରଥ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ଚଳଚଂଚଳ ପୁରୀ ସହର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଶୁଭ ଅନୁକୂଳ ହୋଇଥିବା ବେଳେ ରଥ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଶ୍ରୀକ୍ଷେତ୍ରରେ ଶ୍ରୀନଅର ସମ୍ମୁଖରେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆସନ୍ତାକାଲି ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ।

ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ପରମ୍ପରା ଅନୁଯାୟୀ ତିନି ରଥର ଚକ ଅଖ ଡେରା ନୀତି ସମାପନ କରାଯିବ। ରଥଖଳାରେ ମହାରଣା ଓ ଭୋଇ ସେବକଙ୍କ ଦ୍ୱାରା ପ୍ରତି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତ କରିଥିବା ବେଳେ ସେଥିରେ ଅଖ ଡେରା ଯିବ। ଶ୍ରୀମନ୍ଦିରରେ ସକାଳଧୂପ ନୀତି ପରେ ପୂଜାପଣ୍ଡା ସେବାୟତ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ପରେ ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ କରାଯିବ।

ଗତ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ରଥ ନିର୍ମାଣର ଅନ୍ୟତମ ସୋପାନ ଚକ ଅଖ ଡେରାନୀତି କରାଯିବ। ବିଶ୍ଵକର୍ମା ମହାରଣାମାନେ ତିନି ରଥ ପାଇଁ ୬ ଟି ନାହାକା ଚକ ଓ ତିନୋଟି ଅଖ ପ୍ରସ୍ତୁତ ହୋଇ ସାରିଥିବା ଜଣାପଡିଛି। ଅନ୍ୟପଟେ ପବିତ୍ର ଭଉଁରୀ ଯାତ୍ରାକୁ ନେଇ ପ୍ରବଳ ଜନ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିଆଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀରେ ମୁତୟନ କରାଯାଇଥିବା ପୁରୀ ଏସପି ପିନାକ ମିଶ୍ର ମତ ଦେଇଛନ୍ତି।

Leave A Reply

Your email address will not be published.