Odisha Link
Bridging the Missing Links in Odisha

ଶେଷ ପର୍ଯ୍ୟାୟ ମତଦାନ: ରାଜ୍ୟର ବିିଭିନ୍ନ ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ ଅଚଳ

 

ଓଏଲ୍‌ ବ୍ୟୁରୋ: ଭୋଟ ଦେଉଛି ଓଡ଼ିଶା। ଅନ୍ତିମ ଚରଣ ମତଦାନ ଆରମ୍ଭ ହୋଇଥିବା ବେଳେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ପାଇଁ ଚାଲିଛି ଭୋଟିଂ। ଏଥିସହିତ ବାଜିରେ ଲାଗିଛି ୪୬୦ ନେତାଙ୍କ ଭାଗ୍ୟ। ଏହାମଧ୍ୟରେ ଆଜି ସକାଳୁ ଭୋଟିଂ ଆରମ୍ଭ ରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରାପଡା ଗରଦପୁର ବ୍ଲକ ବସନ୍ତପୁର ୨୫ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ସେହିପରି ପାଟକୁରା ୨୮୬ନଂ, ଡେରାବିଶ ୧୪ନଂ ଓ ୧ଂ ବୁଥ୍‌, କେନ୍ଦ୍ରାପଡା ବାଲିପଡାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡା ବେଲପାଳର ୧୦୬ନଂ , ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍ , ପାରାଦୀପ ନିମିଢିର ୧୭୧ନଂ, ଏବଂ ଭଦ୍ରକ ଭଣ୍ଡାରିପୋଖରୀ ୧୪୨ନଂ ବୁଥ୍‌ରେ ଇଭିଏମ୍ ତ୍ରୁଟି ପରିଲକ୍ଷିତ ହୋଇଛି। ସେହିପରି ଯାଜପୁରର ୯୮ ନମ୍ବର ବୁଥ, ଭଦ୍ରକର ୨୧୩ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି।

ସୂଚନାଥାଉକି, ଶେଷ ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ଦେବେ ଭୋଟ। ସେମଧ୍ୟରୁ ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ଅନ୍ତିମ ପର୍ଯ୍ୟାୟ ମତଦାନରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ଥା ହୋଇଛି। ୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯାଉଛି।

ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରାଜ୍ୟର ୮ଟି ଜିଲ୍ଲା ଅନ୍ତର୍ଗତ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ପୁରୀ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.