Odisha Link
Bridging the Missing Links in Odisha

କିଏ ହେବ ଓଡ଼ିଶା ମୁଖିଆ, ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହି ବୈଠକରେ ସମସ୍ତ ବିଜୟୀ ବିଧାୟକ ଉପସ୍ଥିତ ରହିବା ପାଇଁ ମଧ୍ୟ ଅବଗତ କରାଯାଇଛି। କାରଣ ଆଜିର ଏହି ବୈଠକରେ ବିଧାୟକ ଦଳ ନେତା ନିର୍ବାଚିତ ହେବ ବୋଲି ଜଣାପଡ଼ିଛି।

ଆଜିର ବୈଠକରେ ଯିଏ ବି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ ସିଏ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଦିଲ୍ଲୀରୁ ଫେରିବେ। ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର କେତେକ ବରିଷ୍ଠ ନେତା ମଧ୍ୟ ଭୁବନେଶ୍ବର ଫେରି ବିଧାୟକ ଦଳ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନାମ ତାଲିକା ଧରି ଆଜି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓଡ଼ିଶା ଆସିବେ। ସେ ବିଧାୟକ ଦଳ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସୂଚନାଥାଉକି, ଶୁକ୍ରବାର ଅପରାହ୍ଣରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଓଡ଼ିଶାରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମନୋନୟନ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଚାରବିମର୍ଶ ହୋଇଛି। ବୈଠକରେ ନରେନ୍ଦ୍ର ମୋଦି, ଅମିତ ଶାହା, ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀଙ୍କ ସମେତ ରାଜ୍ୟର ସମସ୍ତ ନିର୍ବାଚିତ ସାଂସଦ ଯୋଗଦେଇଥିଲେ।

Leave A Reply

Your email address will not be published.