ଆତଙ୍କ ଖେଳାଉଛି ଡିପଥେରିଆ ରୋଗ, ସଂକ୍ରମିତ ଅଂଚଳରେ ଦିଆଯିବ ବୁଷ୍ଟର ଡୋଜ୍

ଓଏଲ୍ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭୁବନେଶ୍ବର ଆରଏମଆରସି। ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁନୁଷପଦର ଆସି ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି।
ଅନ୍ୟପଟେ, କିଛି ଜିଲ୍ଲାରେ ଡିପଥେରିଆ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଣ୍ଟିବାୟୋଟିକ୍ ଦ୍ୱାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ଲୋକମାନେ ମାସ୍କ ପିନ୍ଧନ୍ତୁ। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ରୋଗୀ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଡିପଥେରିଆ ମୁକାବିଲା ପାଇଁ କାଲିଠୁ ସଂକ୍ରମିତ ଅଂଚଳରେ ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧ ବର୍ଷ ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ।ସର୍ଭେଲାନ୍ସ ଚାଲିଛି, ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ୍ ଦିଆଯାଉଛି। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ।