Odisha Link
Bridging the Missing Links in Odisha

କାହିଁକି ହାଥରସରେ ଘଟିଲା ଏତେ ବଡ଼ ବିଭ୍ରାଟ, ଚାଲିଛି ତନାଘନା

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସରେ ଗତକାଲି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ଏପରିକି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଁଞ୍ଚିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ଆଶଙ୍କା ମଧ୍ୟ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।

ଉତ୍ତରପ୍ରଦେଶରେ ସତସଙ୍ଗବେଳେ ଅଘଟଣ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସମୟକ୍ରମେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଠାରେ ସତସଙ୍ଗ ପାଇଁ କିଏ ଅନୁମତି ଦେଲା ? ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି କୌଣସି ବ୍ୟବସ୍ଥା ହୋଇନଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ହାଥରସରେ ଜଗତଗୁରୁ ସାକାର ବିଶ୍ବହରି ଭାଲେ ବାବାଙ୍କ ସତସଙ୍ଗ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଥିଲା। ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୮୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକମାନେ କହିଥିଲେ। ଏହି ହିସାବରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ବାବାଙ୍କ ପ୍ରବଚନ ପରେ ସେ କାରରେ ବସି ଚାଲିଯାଇଥିଲେ। ଏହାପରେ ଶ୍ରଦ୍ଧାଳୁମାନେ ସେ ଆସିଥିବା ରାସ୍ତାରୁ ଧୂଳି ଆଣି ମୁଣ୍ଡରେ ମାରିବାକୁ ଲାଗିଥିଲେ।

ଏହାପରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇ ଧୂଳି ମୁଣ୍ଡରେ ମାରୁଥିବାବେଳେ ଆୟୋଜକ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିଥିଲେ। ମାତ୍ର ଏତେ ମାତ୍ରାରେ ଷ୍ଟାମ୍ପେଡ ହୋଇଥିଲା କି ଲୋକେ କଷ୍ଟରେ ବାହାରିବାକୁ ଲାଗିଥିଲେ। କାଦୁଅଭରା ବିଲ ଦେଇ ଦେଇ ଲୋକେ ଯିବାକୁ ଲାଗିଥିଲେ। ନିଜ ନିଜର ଜୀବନ ବଞ୍ଚାଇ ଗହଳିରେ ଯିବାକୁ ଲାଗିଥିବାବେଳେ ଦଳ ଚକଟାରେ ଶିଶୁ ଏବଂ ମହିଳାଙ୍କ ଜୀବନ ଚାଲି ଯାଇଛି। ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଦଳା ଚକଟା ମଧ୍ୟରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି।

ଅନ୍ୟପଟେ ହାଥରସରେ ହୋଇଥିବା ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି। ଆବେଦନକାରୀମାନେ ଆଜି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ୟୁପି ସରକାରଙ୍କ ତରଫରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି।

Leave A Reply

Your email address will not be published.