Odisha Link
Bridging the Missing Links in Odisha

ବିଜେଡିରେ ବିବାଦକୁ ନେଇ ବଢୁଛି ଚର୍ଚ୍ଚା, କର୍ପୋରେଟରଙ୍କ ପାଇଁ ଲାଗିଲା କଟକଣା

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ଏହି ଝଡ଼ କର୍ପୋରେଟର ସ୍ତରରେ ମଧ୍ୟ ପହଞ୍ଚିଛି। ବିଜେଡିର ଦୁଇ ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ ଟିକେଟ୍‌ ଆଶାରେ ପ୍ରଚାର ଚଲାଇଥିବା ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କର ଦଳ ବିରୋଧୀ ବୟାନ ଚର୍ଚ୍ଚାରେ ରହିଆସିଛି।

କର୍ପୋରେଟରଙ୍କୁ ଲଗାମ୍‌ ଦେବାକୁ ମୁହଁରେ ତୁଣ୍ଡି ବାନ୍ଧିଲେ ସଭାପତି। ବିନା ଦଳୀୟ ନିର୍ଦ୍ଦେଶରେ କେହି ମୁହଁ ନଖୋଲିବାକୁ ସଭାପତି କର୍ପୋରେଟରଙ୍କୁ ତାଗିଦ କରିଛନ୍ତି। ମିଡିଆରେ ଦଳର ନିର୍ଦ୍ଦେଶ ବିନା କିଛି ନକହିବାକୁ ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ନିର୍ଦ୍ଦେଶ ଦେଇଛନ୍ତି।

ତେ‌ବେ ଗତକାଲି ଓ ଆଜି ବାଇଁଆ ଦେଇଥିବା ବୟାନ କେବଳ ବିଜେଡି ନୁହେଁ, ବରଂ ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି କରିଛି। ‘ଦଳରେ ବିଭୀଷଣ ଅଛନ୍ତି। ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କୁ ତାହା କରିବାକୁ ଦିଆଯିବ ନାହିଁ।’

ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଯେଉଁମାନେ ବିଭୀଷଣ କଥା କହୁଛନ୍ତି, ସେକଥା ସେମାନେ କହିପାରିବେ। କାହାର ବ୍ୟକ୍ତିଗତ ରାଗରୁଷା ଅଛି, ମୁଁ କହିପାରିବିନି। ଆମେ ସମସ୍ତେ ଏକଜୁଟ ଅଛୁ। ବିଜେଡିର ୫୭ କର୍ପୋରେଟର ଏକାଠି ଅଛୁ। ସବୁ ବିଜେଡି କର୍ପୋରେଟର ଏକ ଅଛନ୍ତି, ଆମେ ଏକାଠି କାମ କରୁଛୁ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି।

Leave A Reply

Your email address will not be published.