ଦୁନିଆର ପ୍ରଥମ ପେଟ୍ରୋଲ+ସିଏନ୍ଜି ବାଇକ୍ ଉନ୍ମୋଚିତ, ୧କେଜିରେ ୧୧୫ କିମି ଗଡ଼ିବ ଗାଡ଼ି
ଓଏଲ୍ ବ୍ୟୁରୋ: ଉନ୍ମୋଚିତ ହେଲା ବିଶ୍ବର ପ୍ରଥମ ସିଏନ୍ଜି ବାଇକ୍। ବଜାଜ୍ ଅଟୋ ପକ୍ଷରୁ ଦୁନିଆର ପ୍ରଥମ ସିଏନ୍ଜି ବାଇକ୍କୁ ଉନ୍ମୋଚନ କରାଯାଇଛି। ଗାଡ଼ିର ନାମ ଫ୍ରିଡମ ୧୨୫ ସିଏନ୍ଜି ରହିଛି। କମ୍ପାନୀ ପକ୍ଷରୁ ଆଜି ପୁନେର ଚାକନ ପ୍ଲାଣ୍ଟରେ ଉନ୍ମୋଚନ କରିଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନୀ ଗଡ଼କରୀ ଉପସ୍ଥିତ ଥିଲେ। ଏହି ବାଇକ୍ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠୁ ଅଧିକ ମାଇଲେଜ୍ ଦେଉଥିବା ବାଇକ୍ ଅଟେ। କମ୍ପାନୀ ଏଥିରେ ହାଇବ୍ରିଡ ସିଏନ୍ଜି ଜ୍ଞାନକୌଶଳ ପ୍ରୟୋଗ କରିଛି। ସବୁଠୁ ବଡ଼କଥା ହେଲା କମ୍ପାନୀ ବଡ଼ ଦାବି କରି କହିଛି ଯେ ଏକ କେଜି ସିଏନଜିରେ ଗାଡ଼ି ୧୧୫ କିମି ଯିବ। ଏହି ବାଇକ୍ର ମୂଲ୍ୟ ୯୫ ହଜାର ଟଙ୍କାରୁ ଆରମ୍ଭ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ବାଇକ୍ର ସିଟ୍ ତଳେ ସିଏନ୍ଜି ସିଲିଣ୍ଡରକୁ ଫିଟ୍ କରାଯାଇଛି। ଏଭଳି ଫିଟ୍ କରାଯାଇଛି ଯାହା ବାହାରକୁ ଆଦୌ ଦେଖା ଯାଉନାହିଁ। ଏହି ବାଇକ୍ରେ ୨ କେଜି ସିଏନ୍ଜି ଓ ୨ ଲିଟର ପେଟ୍ରେଲ ଟ୍ୟାଙ୍କ ରହିଛି। ଥରେ ସିଏନ୍ଜି ଟାଙ୍କ ପୂର୍ଣ୍ଣ କରିଲେ ଗାଡ଼ି ୨୩୦ କିମି ଦୌଡ଼ିବ। ଏହି ଗାଡ଼ିର ୧୧ ଥର ଟେଷ୍ଟ କରିବା ପରେ ଲଞ୍ଚ କରାଯାଇଛି।
ଏହି ଗାଡ଼ି ମାର୍କେଟରେ ୩ଟି ମଡେଲରେ ଉପଲବ୍ଧ ହେବ। NG04 ଡିସ୍କ ଏଲ୍ଇଡି, NG04 ଡ୍ରମ୍ ଏଲ୍ଇଡି ଓ NG04 ଡ୍ରମ ଉପଲବ୍ଧ ହେବ। ୭ଟି ରଙ୍ଗରେ ଗାଡ଼ି ମାର୍କେଟରେ ଉପଲବ୍ଧ ହେବ। ଏହି ଗାଡ଼ିର ବୁକିଂ ମଧ୍ୟ ଆରମ୍ଭ ହୋଇ ସାରିଛି। ଆପଣ ଅନ୍ଲାଇନ୍ କିମ୍ବା ଡିଲର ପାଖକୁ ଯାଇ ଗାଡ଼ି ବୁକ୍ କରି ପାରିବେ। ପ୍ରଥମେ ଦେଶର ମହାରାଷ୍ଟ୍ର ଓ ଗୁଜରାଟରେ ଗାଡ଼ି ଉପଲବ୍ଧ ହେବ। ପରେ ସାରା ଦେଶରେ ଗାଡ଼ି ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।