Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କ ୪ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ, ଭୁବନେଶ୍ୱର ନାଇଜରରେ ଦେଲେ ଅଭିଭାଷଣ

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମଦିନରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମହାମହିମ। ୭ ତାରିଖରେ ପୁରୀ ଯାଇ ରଥଯାତ୍ରାରେ ଯୋଗଦେବା ସହ ରାଜଭବନରେ ରାତ୍ରଯାପନ କରିଥିଲେ। ୮ ତାରିଖ ସକାଳେ ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବା ସହିତ ଅପରାହ୍ନରେ ଅନ୍ଧାରୁଆରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଭାଇନ ରିଟ୍ରିଟ୍‌ ସେଣ୍ଟର ଉଦ୍‌ଘାଟନ କରିଥିଲେ। ଶେଷ ଦିନରେ ଜଟଣୀ ନାଇଜର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ଉଦବୋଧନ ଦେଇଛନ୍ତି।

ସୂଚନା ଅନୁସାରେ, ରବିବାର ରଥଯାତ୍ରା ଦେଖିବା ପରେ ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ସକାଳୁ ସମୁଦ୍ର କୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ଦିଆଯାଇନଥିଲା। ପ୍ରାତଃଭ୍ରମଣର ପରେ ମହାମହିମ କହିଛନ୍ତି ଯେ ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ। ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ।

ମୁଁ ବେଳାଭୂମିରେ ଚାଲୁଥିଲା ବେଳେ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା। ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି। ମୋର ମନେ ହେଲା, ମୁଁ ଯେମିତି ଧ୍ୟାନମଗ୍ନ ହୋଇଯାଇଛି। ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା। ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ। ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ। ଏହି ସତ୍ତା ଆମକୁ ଧରି ରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ।

Leave A Reply

Your email address will not be published.