Odisha Link
Bridging the Missing Links in Odisha

IAS ସ୍ତରରେ ବଡ଼ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ଧଳ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ୍ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି।

୧୯୯୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି। ସେ ମଧ୍ୟ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ସୁରେନ୍ଦ୍ର କୁମାର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଶ୍ରୀମତୀ ପାଢ଼ୀ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ।

୧୯୯୫ ବ୍ୟାଚ୍ ଆଇଏଏସ୍ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି। ଶ୍ରୀ ମାଥିଭାଥାନନ୍ ପ୍ରାୟ ୧୦ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

୨୦୦୫ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗରୁ ହଟାଇ ଦେଇ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି ହୋଇଛି। ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.