ତୁଟିଲା ହାଉସ୍ ସର୍ଜନ-ନର୍ସିଂ ସଂଘ ବିବାଦ, ଏସ୍ସିବିରେ ରୋଗୀ ସେବା ସ୍ବାଭାବିକ
ଓଏଲ୍ ବ୍ୟୁରୋ: ଆଜିଠୁ ଏସସିବି ମେଡିକାଲରେ ରୋଗୀ ସେବା ସ୍ୱାଭାବିକ ହୋଇଛି। କଟକ ବଡ଼ ମେଡିକାଲର ନର୍ସିଂ ଅଫିସର ଏବଂ ହାଉସଙ୍କ ସର୍ଜନ ମଧ୍ୟରେ ବିବାଦରେ ପୂର୍ଣ୍ଣଛେଦ ପଡିଛି। ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ନେଇ ବୈଠକ ବସିଥିଲା। ଯେଉଁଥିରେ ତଦନ୍ତ କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଆନ୍ଦୋଳନ ସ୍ଥଗିତ ରହିଛି। ଆଜିଠୁ ରୋଗୀ ସେବା ସ୍ୱାଭାବିକ ରହିବ। ସମସ୍ତେ ରୋଗୀ ସେବାରେ ସହଯୋଗ କରିବେ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ସ୍ବାସ୍ଥ୍ୟ ସଚିବ ବୈଠକ ଜରିଆରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ରବିବାର ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ନର୍ସ ଏବଂ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ପରସ୍ପର ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଗତକାଲି ଏହାକୁ ନେଇ ଜରୁରୀକାଳୀନ ଓ୍ୱାର୍ଡକୁ ଛାଡିଦେଲେ ଉଭୟ ଇନ୍ ଡୋର ଓ ଆଉଟ ଡୋରରେ ସେବା ବନ୍ଦ ରହିଥିଲା।