ପରଲୋକରେ ପଦ୍ମଶ୍ରୀ
ଓଏଲ୍ ବ୍ୟୁରୋ: ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ। କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟାରେ ଏସସିବିରେ ତାଙ୍କର ପରଲୋକ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ।
ଗତ ଦୁଇ ବର୍ଷ କମଳା ପୂଜାରୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଗରୁ ବହୁ ବାର କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ। ସୂଚନାଥାଉକି, ୧୬ ତାରିଖ ସନ୍ଧ୍ୟାରେ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ୧୮ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଆଜି ତାଙ୍କର ପରଲୋକ ହୋଇଛି। ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଭାବେ ସେ ଦେଶରେ ପରିଚିତ ଥିଲେ। ୨୦୧୯ ମାର୍ଚ୍ଚ ୧୬ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
କୋରାପୁଟ ଜିଲ୍ଲା ପାତ୍ରପୁଟ ଗ୍ରାମର କମଳା ପୂଜାରୀ ଲୋପ ପାଇଯାଉଥିବା ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିଥିଲେ।