Odisha Link
Bridging the Missing Links in Odisha

ସଂସଦର ବଜେଟ୍ ଅଧିବେଶନ: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ଓଏଲ୍ ଵ୍ୟୁରୋ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୫ %ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ବିଶ୍ଵସ୍ତରରେ ଅନେକ ଆହ୍ବାନ ସତ୍ବେ ଭାରତୀୟ ଅର୍ଥନୀତି ଆଗକୁ ବଢ଼ିଛି। ସମଷ୍ଟି ଅର୍ଥନୀତିରେ ସ୍ଥିରତା ଯୋଗୁ ବିଶ୍ଵସ୍ତରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କମ୍ ମାତ୍ରାରେ ପଡ଼ିଛି। ଯାହାଫଳରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୮.୨ ପ୍ରତିଶତ ରହିଥିବା ସେ କହିଛନ୍ତି। ସେହିପରି ସର୍ବଭାରତୀୟ ବାର୍ଷିକ ବେରୋଜଗାର ହାର ମଧ୍ୟ ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି। କରୋନା ମହାମାରୀ ପରଠାରୁ ବେରୋଜଗାର ହାର ହ୍ରାସ ପାଇବାରେ ଲାଗିଥିବା ସେ କହିଛନ୍ତି।

ସୂଚନା ଅନୁସାରେ, ସଂସଦର ବଜେଟ୍ ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବା ନେଇ ଆଶା କରାଯାଉଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ। ଏହା ତାଙ୍କର ସପ୍ତମ ବଜେଟ୍ ହେବ। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଲୋକସଭାରେ ଆଗତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ବଜେଟ୍ ଆଗତ କରିବା ପରେ ଉଭୟ ଗୃହରେ ଏହାକୁ ନେଇ ଚର୍ଚ୍ଚା ହେବ। ଏହାଛଡ଼ା ସଂସଦର ବଜେଟ୍ ଅଧିବେଶନ ବେଳେ ବିରୋଧୀ ଦଳଗୁଡ଼ିକ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍, ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମଣିପୁର ହିଂସା, ଟ୍ରେନ୍ ଦୁର୍ଘଟଣା ଭଳି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି।

Leave A Reply

Your email address will not be published.