ବଜେଟରେ ଓଡ଼ିଶାକୁ ଅବହେଳା, କକ୍ଷତ୍ୟାଗ କଲା ବିଜେଡି
ଓଏଲ୍ ବ୍ୟୁରୋ: ସଂସଦରେ ୨୦୨୪ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧ ଘଣ୍ଟା ୨୩ ମିନିଟର ଭାଷଣରେ ବିଶେଷ ଭାବେ ଚାକିରିଆଙ୍କ ପାଇଁ ଭଲ ଖବର ଆଣିଛି। ନୂଆ ଟ୍ୟାକ୍ସ ରିଜିମ ଚୟନ କରିଥିବା ବ୍ୟକ୍ତିଙ୍କ ପାଇଁ ଏବେ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ଫ୍ରି ହୋଇଯାଇଛି। ସେହିପରି ଅର୍ଥମନ୍ତ୍ରୀ ଆନ୍ଧ୍ରପ୍ରଦେଶକୁ ୧୫ ହଜାର କୋଟି ଟଙ୍କା ଓ ବିହାରକୁ ୪୧ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ବତନ୍ତ୍ର ସ୍କିମ୍ ଋଣ ଦେବା ପାଇଁ ଘୋଷଣା କରିଛନ୍ତି। ଅନ୍ୟପଟେ କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ। ଏନେଇ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।
ଏକ୍ସରେ ସୂଚନା ଦେଇ ସସ୍ମିତ ପାତ୍ର କହିଛନ୍ତି, ଚଳିତ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଇଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନମିଳିବାରୁ ବିଜେଡି ସାଂସଦ କକ୍ଷତ୍ୟାଗ କରିଛନ୍ତି। ସେ ଆହୁୁରି କହିଛନ୍ତି, ଆନ୍ଧ୍ରପ୍ରଦେଶ ଓ ବିହାରକୁ କେନ୍ଦ୍ର ସରକାର ଚଳିତ ବଜେଟରେ ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି, କିନ୍ତୁ ଓଡ଼ିଶା କଥା ବିଚାରକୁ ନିଆ ଯାଇନି। ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପାହ୍ୟା ପାଇଁ ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶାକୁ ଅବହେଳା କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନରୁ ୨୦ ବିଜେପି ସାଂସଦ ଜିିତିଇବା ସତ୍ତ୍ବେ ଅଣଦେଖା କରାଯାଇଛି। ୨୦ ସାଂସଦ ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ ବୋଲି କହିଛନ୍ତି ସସ୍ମିତ ପାତ୍ର। ଓଡ଼ିଶାରୁ ଅଧିକ ଆସନ ଜିତିଥିବା ସତ୍ତ୍ବେ ବିହାର ଓ ଆନ୍ଧ୍ରପ୍ରଦେଶକୁ ଉପହାର ଦେଉଛନ୍ତି ସରକାର ବୋଲି ସସ୍ମିତ କହିଛନ୍ତି।
ସେହିପରି ବିଜେଡି ନେତା ଅମର ପଟ୍ଟନାୟକ ଓ କଳିକେଶ ସିଂଦେଓ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବତନ୍ତ୍ର ରାଜ୍ୟା ପାହ୍ୟା ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଧ୍ରରୁ ୧୬, ବିହାରରୁ ୧୨ ସାଂସଦ ଥାଇ ମିଳିଛି ଅଧିକ ଅନୁଦାନ। ଓଡ଼ିଶାରୁ ୨୦ ସାଂସଦ ଥାଇ ମଧ୍ୟ ଅବହେଳା ହୋଇଥିବା ଅଭିଯୋଗ ଆଣିଛନ୍ତି ଅମର ପଟ୍ଟନାୟକ।