ରାଜ୍ୟ ରାଜନୀତିରେ ପୋଲାଭରମ୍ ତାତି, ବିଜେଡି-କଂଗ୍ରେସର ବିରୋଧ
ଓଏଲ୍ ବ୍ୟୁରୋ: ସଂସଦରେ ୨୦୨୪ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧ ଘଣ୍ଟା ୨୩ ମିନିଟର ଭାଷଣରେ ବିଶେଷ ଭାବେ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ହେଲେ ଓଡ଼ିଶା ପାଇଁ ବିଶେଷ ଘୋଷଣା କରି ନାହାନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଓଡ଼ିଶା ବିରୋଧ କରି ଆସୁଥିବା ପୋଲାଭରମ୍ ପ୍ରକଳ୍ପ କାମ ଶୀଘ୍ର ସାରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ।
ଆଜି ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପୋଲାଭରମ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ସଂପର୍କରେ ଘୋଷଣା ବେଳେ ଓଡିଶା ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇନି। କେନ୍ଦ୍ରର ଏଭଳି ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ। କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡିଶା ସ୍ବାର୍ଥକୁ ମାରି ଦେଉଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ-ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ସେପଟେ ପୋଲାଭରମ୍ ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡ଼ିଯିବ। ବିଶେଷ ଭାବେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବ। ଏବେ କେନ୍ଦ୍ରରେ. ଓଡ଼ିଶାରେ ଓ ଆନ୍ଧ୍ରପ୍ରଦେଶରେ ତାଙ୍କର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହ ଆନ୍ଧ୍ରରେ ବି ବିଜେପି ଓ ଏନଡିଏ ସହଯୋଗୀଙ୍କ ସରକାର ଥିବା ବେଳେ ଓଡ଼ିଶାକୁ ଅଣଦେଖା ଦୁର୍ଭାଗ୍ୟଜନକ ବୋଲି ସୋଫିଆ କହିଛନ୍ତି।