ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍, ମୋହନ ସରକାରଙ୍କ ଭେଟିକୁ ରାଜ୍ୟବାସୀଙ୍କ ଅପେକ୍ଷା
ଓଏଲ୍ ବ୍ୟୁରୋ: ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ୨୦୨୪। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ଗୁରୁବାର) ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବିଜେପି ସରକାର ପ୍ରଥମ କରି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ପୂର୍ବତନ ସରକାରଙ୍କ ଯୋଜନା ଉପରେ ଅର୍ଥ ବ୍ୟୟବରାଦ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ, ଫେବୃଆରୀ ୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ୧ ଲକ୍ଷ ୧୮ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ୪ମାସ ଖର୍ଚ୍ଚ ବହନ ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିଲା। ବଜେଟ୍ ଆକାର ୨.୫୫ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା, ଯାହା ଆର୍ଥିକ ବର୍ଷ ୨୦୨୩-୨୪ପାଇଁ କରାଯାଇଥିବା ବ୍ୟବସ୍ଥାରୁ ୧୧ ପ୍ରତିଶତ ଅଧିକ ରହିଥିଲା। ସାଧାରଣ ନିର୍ବାଚନ ସମୟରେ କୃଷି ଓ ଗ୍ରାମୀଣ ବିକାଶ ପାଇଁ ବିଜେପି ୨୧ଟି ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ଇସ୍ତାହାରରେ ଘୋଷଣା କରିଥିଲା। ତେବେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ।