Odisha Link
Bridging the Missing Links in Odisha

ଆମେରିକା-ଚୀନକୁ ଟପ୍ପର କରିଛନ୍ତି ମହିଳା; ବିଗତ ୩ଟି ଗେମ୍ସରେ ଭାରତ ପାଇଁ ୭ ପଦକ ଜିତିଛନ୍ତି ମହିଳା

ଓଏଲ୍‌ ବ୍ୟୁରୋ: ୨୮୦୦ ବର୍ଷ ପୂର୍ବେ ପ୍ରାଚୀନ ଅଲିମ୍ପିକ୍ସ ଖେଳ ଆରମ୍ଭ ହୋଇଥିଲା। ସେହି ସମୟରେ ଅଲିମ୍ପିକ୍ସରେ ମହିଳା ଖେଳାଳି ଭାଗ ନେବାତ ଦୂରର କଥା ଖେଳ ଦେଖିବାକୁ ବି ଅନୁମତି ମିଳୁ ନଥିଲା। କାରଣ ସେହି ସମୟରେ ବିନା କପଡ଼ାରେ ଖେଳାଳି ଖେଳୁଥିଲେ। ଏପରିକି ବିବାହିତ ମହିଳା ଯଦି ଅଲିମ୍ପିକ୍ସ ଖେଳ ଦେଖିବାକୁ ଯାଉଥିଲେ ତେବେ ତାଙ୍କୁ ପାହାଡ଼ ତଳକୁ ଫିଙ୍ଗି ଦେଇ ମାରିଦେବାକୁ ମଧ୍ୟ ଆଦେଶ ଥିଲା।

୧୮୯୬ ମସିହାରେ ମଡର୍ଣ୍ଣ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା। ସେହି ସମୟରେ ଜଣେ ବି ମହିଳା ଖେଳାଳି କୌଣସି ଦଳରେ ନଥିଲେ। ଆଉ ଏବେ ମହିଳା ଖେଳାଳି ହିଁ ଦେଶକୁ ଅଧିକ ମେଡାଲ ଦେଉଛନ୍ତି। ବିଗତ ୨ ଅଲିମ୍ପିକ୍ସରେ ଆମେରିକା ଓ ଚୀନ ଭଳି ଦେଶକୁ ଟପ୍‌ ତାଲିକାରେ ରଖିଛନ୍ତି ମହିଳା। ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଦେଶ ପାଇଁ ଅଧିକ ମେଡାଲ ଜିତିଛନ୍ତି। ଭାରତ ଏବେ ଏହି ରାସ୍ତାରେ ରହିଛି। ବିଗତ ୩ଟି ଅଲିମ୍ପିକ୍ସରେ ଭାରତ ୧୫ଟି ମେଡାଲ ଜିତିଛି। ସେମଧ୍ୟରୁ ମହିଳା ଖେଳାଳି ୭ଟି ମଡେଲ ହାତେଇଛନ୍ତି।

ପ୍ରଥମ ଅଲିମ୍ପିକ୍ସରେ ମହିଳା ଅଂଶଗ୍ରହଣ କରିନଥିଲେ:

୧୮୯୬ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଗେମ୍ସ ଆୟୋଜିତ ହୋଇଥିଲା। ସେବେ ଅଲିମ୍ପିକ୍ସରେ କୌଣସି ବି ଦେଶ ଜଣେ ହେଲେ ମହିଳା ଖେଳାଳିଙ୍କୁ ଅଲିମ୍ପିକ୍ସ ପଠାଇନଥିଲେ। ୧୯୦୦ ମସିହାରେ ହୋଇଥିବା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ମହିଳା ଖେଳାଳି ଭାଗ ନେଇଥିଲେ। ୨୨ ଜଣ ମହିଳା ଖେଳାଳି ୧୯୦୦ ମସିହା ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସେହି ସମୟରେ ମାତ୍ର ୨.୨ ପ୍ରତିଶତ ମହିଳା ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସେହି ପ୍ରତିଶତ ୧୯୯୬ ମସିହାରେ ୩୪%ରେ ପହଁଞ୍ଚିଥିଲା।

ସେହିପରି ଟୋକିଓ ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରତିଶତ ୪୮%ରେ ପହଁଞ୍ଚିଛି। ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ୫୦ ପ୍ରତିଶତ ପୁରୁଷ ଓ ୫୦ ପ୍ରତିଶତ ମହିଳା ଖେଳାଳି ଭାଗ ନେଉଚନ୍ତି। ୧୨୯ ବର୍ଷ ପରେ ପ୍ରଥମଥର ପାଇଁ ସମାନ ପ୍ରତିଶତ ମହିଳା ଓ ପୁରୁଷ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଉଛନ୍ତି।

ଆମେରିକା-ଚୀନକୁ ଅଧିକ ପଦକ ଦେଉଛନ୍ତି ମହିଳା:
ଅଲିମ୍ପିକ୍ସ ଗେମ୍ସରେ ଆମେରିକା ଓ ଚୀନକୁ ମିଳୁଥିବା ସଫଳାତର ପଛରେ ମହିଳାଙ୍କ ସହଯୋଗ ରହିଛି। ୨୦୧୬ରେ ହୋଇଥିବା ରିୟୋ ଅଲିମ୍ପିକ୍ସରେ ଆମେରିକା ଓ ଚୀନର ମହିଳା ଖେଳାଳି ପୁରୁଷଙ୍କଠୁ ଅଧିକ ମେଡାଲ ହାତେଇଥିଲେ। ରିୟୋରେ ଆମେରିକାର ପୁରୁଷ ଖେଳାଳି ୧୮ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୫୬ଟି ମେଡାଲ ଜିତିଥିଲେ। ଅନ୍ୟପଟେ ମହିଳା ଖେଳାଳି ମାନେ ୨୭ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୬୧ଟି ପଦକ ଜିତିଥିଲେ। ସେହିପରି ଚୀନର ପୁରୁଷ ଖେଳାଳି ୧୮ ସ୍ବର୍ଣ୍ଣ ପଦକ ସହିତ ମୋଟ ୨୮ ଟି ପଦକ ଜିତିଥିବା ବେଳେ ମହିଳା ଖେଳାଳି ୧୪ଟି ସ୍ବର୍ଣ୍ଣ ପଦକ ସହିତ ୪୧ଟି ପଦକ ଜିତିଥିଲେ।

ଯଦି ଟୋକିଓ ଅଲିମ୍ପିକ୍ସ କଥା ଦେଖିବା ଆମେରିକାର ପୁରୁଷ ଖେଳାଳି ୪୧ଟି ପଦକ ଜିତିଥିବା ବେଳେ ମହିଳା ଖେଳାଳି ୬୬ଟି ପଦକ ଜିତିଥିଲେ। ଚୀନର ପୁରୁଷ ଖେଳାଳି ୩୫ଟି ପଦକ ହାତେଇଥିବା ବେଳେ ମହିଳା ଖେଳାଳି ୪୭ଟି ପଦକ ହାତେଇଥିଲେ।

୯ଟି ଅଲିମ୍ପିକ୍ସରେ ଭାଗ ନେଇ ପାରି ନାହାନ୍ତି ଭାରତୀୟ ମହିଳା ଖେଳାଳି:
ଭାରତ ଏପର୍ଯ୍ୟନ୍ତ ୨୪ଟି ଅଲିମ୍ପିକ୍ସ ଗେମ୍ସରେ ଭାଗ ନେଇଛି। ସେ ମଧ୍ୟରୁ ୯ଟି ଅଲିମ୍ପିକ୍ସରେ ଜଣେ ବି ମହିଳା ଖେଳାଳି ଭାଗ ନେଇନଥିଲେ। ସ୍ବାଧିନତା ପୂର୍ବରୁ ୫ ଥର ଓ ସ୍ବାଧିନତା ପରେ ୪ ଥର ଅଲିମ୍ପିକ୍ସ ଗେମ୍ସରେ ଭାରତୀୟ ମହିଳା ଭାଗ ନେଇ ନାହାନ୍ତି।
ଏସବୁ ବ୍ୟତୀତ ୩ଟି ଅଲିମ୍ପିକ୍ସ ଗେମ୍ସରେ ଭାରତ ପକ୍ଷରୁ ମାତ୍ର ଜଣେ ହିଁ ମହିଳା ଖେଳାଳି ଭାଗ ନେଇଥିଲେ।

ଭାରତକୁ ଶେଷ ୧୫ଟି ପଦକରୁ ୭ଟି ମହିଳା ଦେଇଛନ୍ତି:

ବିଗତ ୩ଟି ଅଲିମ୍ପିକ୍ସରେ ଭାରତ ମୋଟ ୧୫ଟି ପଦକ ଜିତିଛି। ସେମଧ୍ୟରୁ ୭ଟି ପଦକ ଭାରତ ପାଇଁ ମହିଳା ମାନେ ହିଁ ଜିତିଛନ୍ତି। ରିୟୋ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ଟି ପଦକ ମହିଳା ଖେଳାଳି ହିଁ ଜିତିଥିଲେ। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ। ସେହିପରି ସାକ୍ଷୀ ମଲ୍ଲିକ କୁସ୍ତରେ ବ୍ରୋଞ୍ଜ ପଦକ ହାତେଇଥିଲେ। ଭାରତ ପକ୍ଷରୁ ମହିଳା ଖେଳାଳି ମୋଟ ୮ଟି ପଦକ ଜିତିଛନ୍ତି। ଏହାର ଆରମ୍ଭ ୨୦୦୦ ମସିହାରେ ଓ୍ବେଟ ଲିଫ୍ଟର କର୍ଣ୍ଣମ ମଲେଶ୍ବରୀ ଆରମ୍ଭ କରିଥିଲେ।

ଶେଷ ୩ଟି ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା:

୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଳା। ପୁରୁଷ ୪ଟି ପଦକ ଜିତିଥିବା ବେଳେ ମହିଳା ୨ଟି ପଦକ ଜିତିଥିଲେ । ସେହିପରି ୨୦୧୬ ରିୟୋ ଅଲିମ୍ପିକ୍ସରେ ଭାରତକୁ ମାତ୍ର ୨ଟି ପଦକ ମିଳିଥିଲା। ସେହି ଦୁଇ ପଦକ ମହିଳା ହିଁ ଜିତିଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିଥିଲା। ପୁରୁଷ ଖେଳାଳି ୪ଟି ପଦକ ଜିତିଥିବା ବେଳେ ମହିଳା ଖେଳାଳି ୩ଟି ପଦକ ଜିତିଥିଲେ।

Leave A Reply

Your email address will not be published.