ବଦଳିଲା BSKY ଯୋଜନାର ନାଁ, ଏଣିକି ରାଜ୍ୟରେ ଲାଗୁ ହେବ ଏହି ଯୋଜନା
ଓଏଲ୍ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି।
ମହିଳା ଓ ଶିଶୁ ବିକାଶ ପାଇଁ ମୋହନ ସରକାର ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର।
ସେହିପରି ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରିଛନ୍ତି ସରକାର ବୋଲି ଅର୍ଥମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖିଛନ୍ତି। ସେହିପରି ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରକୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କ୍ୟାସ୍ଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୋହନ ମାଝୀ ଗୃହରେ କହିଛନ୍ତି। ଏଥିସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ।
ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର ବୋଲି ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ। ଓଡ଼ିଶାରେ ସୃଷ୍ଟି ହେବେ ୨୫ ଲକ୍ଷ ‘ଲକ୍ଷପତି ଦିଦି’। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯଶୋଦା ଯୋଜନା ଘୋଷଣା କରିଛନ୍ତି ସରକାର। ଏଥିପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୮୩ କୋଟି ରଖାଯାଇଛି।