Odisha Link
Bridging the Missing Links in Odisha

ଚାଷୀଙ୍କ ପାଇଁ ‘ସିଏମ୍‌ କିଷାନ ଯୋଜନା’

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି।

ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି କେନ୍ଦ୍ରରେ ଚାଲିଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

ମହିଳା ଓ ଶିଶୁ ବିକାଶ ପାଇଁ ମୋହନ ସରକାର ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର।

ସେହିପରି ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରିଛନ୍ତି ସରକାର ବୋଲି ଅର୍ଥମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖିଛନ୍ତି। ସେହିପରି ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରକୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କ୍ୟାସ୍‌ଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୋହନ ମାଝୀ ଗୃହରେ କହିଛନ୍ତି। ଏଥିସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ।

Leave A Reply

Your email address will not be published.