ହଟିବ ପୁରୁଣା ଟୋଲ୍ ସଂଗ୍ରହ ବ୍ୟବସ୍ଥା, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ
ଓଏଲ୍ ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଉପଗ୍ରହ(ସାଟେଲାଇଟ) ଆଧାରିତ ବ୍ୟବସ୍ଥା ଆରମ୍ଭ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ନିଷ୍ପତ୍ତି ନେଇ ବର୍ତ୍ତମାନର ଟୋଲ୍ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହା ସହ ସାଟେଲାଇଟ୍ ଟୋଲ୍ କଲେକ୍ସନ ସିଷ୍ଟମ୍ ଲାଗୁ ହେବା ବିଷୟ ଘୋଷଣା କରାଯାଇଛି।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପଛର ଉଦ୍ଦେଶ୍ୟ ହେଉଛି ଟୋଲ୍ ଆଦାୟ ବୃଦ୍ଧି କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ ହ୍ରାସ କରିବ। ବର୍ତ୍ତମାନ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଉଠାଇ ଦିଆଯିବ। ଗତ ବର୍ଷ ଡିସେମ୍ବର ମାସରେ ନିଜେ ସଡ଼କ ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଏନଏଚଏଆଇ ମାର୍ଚ୍ଚ ୨୦୨୪ରୁ ରାଜପଥରେ ଟୋଲ ସଂଗ୍ରହର ନୂତନ ବ୍ୟବସ୍ଥା ଆରମ୍ଭ କରିବ। ନୀତିନ ଗଡକରୀ କହିଛନ୍ତି ଯେ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ଦୂରତା ସହିତ ଟୋଲ ଟ୍ୟାକ୍ସ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ।
ମହଙ୍ଗା ଟୋଲ ଟ୍ୟାକ୍ସ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତରରେ ନୀତିନ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ଉନ୍ନତ ରାଜପଥ ଯୋଗୁଁ ଲୋକମାନେ ସମୟ ଏବଂ ଇନ୍ଧନ ମଧ୍ୟ ସଞ୍ଚୟ କରୁଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ମୁମ୍ବାଇରୁ ପୁଣେ ଯାତ୍ରା କରିବାକୁ ୯ ଘଣ୍ଟା ଲାଗୁଥିଲା କିନ୍ତୁ ବର୍ତ୍ତମାନ ଏହି ଯାତ୍ରା ମାତ୍ର ୨ ଘଣ୍ଟା ମଧ୍ୟରେ ଶେଷ ହୋଇପାରୁଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଏନଏଚଏଆଇ ଜିପିଏସ୍ ଟେକ୍ନୋଲୋଜି ଆଧାରିତ ଟୋଲ୍ କଲେକ୍ସନ୍ ସିଷ୍ଟମ୍ ଲଞ୍ଚ କରିବ।
ଯେଉଁଥିରେ ଜାତୀୟ ରାଜପଥରେ ଗାଡି ଚଳାଉଥିବା ଡ୍ରାଇଭରମାନେ ଟୋଲ ଚାର୍ଜ ଦେବାକୁ ଟୋଲ ପ୍ଲାଜାରେ ଅଟକି ରହିବାକୁ ପଡିବ ନାହିଁ। ରାଜପଥରେ ଚାଲୁଥିବା ଗାଡିର ଜିପିଏସ୍ କୋର୍ଡିନେଟ୍ ସହିତ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ ସଂଯୁକ୍ତ ହେବ ଏବଂ ଯାନ ସଂଗ୍ରହ ପଏଣ୍ଟରେ ପହଞ୍ଚିବା ମାତ୍ରେ ଟୋଲ୍ ଫି ସ୍ୱୟଂଚାଳିତ ଭାବରେ ବ୍ୟାଙ୍କ ଆକାଉଣ୍ଟରୁ କଟାଯିବ। ପ୍ରଥମେ ଏହା କେବଳ କେତେକ ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜାରେ ଲାଗୁ କରାଯିବ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି।