Odisha Link
Bridging the Missing Links in Odisha

ଶେଷ ମିନିଟ୍‌ରେ ପଲଟିଗଲା ବାଜି, ହାରୁଥିବା ମ୍ୟାଚ୍‌କୁ ଡ୍ର ରଖିଲା ଭାରତୀୟ ହକି ଦଳ

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମ୍ୟାଚରେ କଡ଼ା ସଂଘର୍ଷ କରି ପରାଜୟ ମୁହଁରୁ ବର୍ତ୍ତିଲା ଭାରତୀୟ ହକି ଦଳ। ଅଲମ୍ପିକ୍ସିର ହକି ଇଭେଣ୍ଡର ପୁଲ୍-ବିର ଏକ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ-ଆର୍ଜେଣ୍ଟିନା। ୧-୦ରେ ଆଗୁଆ ଥିବା ଆର୍ଜେଣ୍ଟିନା ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାରତୀୟ ହକି ଟିମ୍‌ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ କରିବାକୁ ସକ୍ଷମ ହୋଇଛି। ଏଥିସହ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ଯିବା ପାଇଁ ଆଶା ଉଜ୍ଜୀବିତ ରଖିଛି ଭାରତୀୟ ଦଳ।

ଆଜି ପୁଲ-ବିରେ ମୁହାଁମୁହିଁ ହୋଇଥିଲେ ଭାରତ-ଆର୍ଜେଣ୍ଟିନା। ଦୁଇ ଦଳ ଦମଦାର ଆରମ୍ଭ କରିଥିବା ସତ୍ତ୍ବେ ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲ୍‌ କରି ପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟାନକୁ ଘନଘନ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା ଭାରତ। ଅନ୍ୟପଟେ ଭାରତ ଉପରେ ଚାପ ପକାଇ ଚାଲିଥିଲା ଆର୍ଜେଣ୍ଟିନା। ଲୁକାସ ମାର୍ଟିନେଜ ୨୨ତମ ମିନିଟରେ ଫିଲ୍ଡ ଗୋଲ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ।

ସ୍ଥିତି ବରାବର କରିବାକୁ ଭାରତ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଏପରିକି ମ୍ୟାଚ୍‌ ଶେଷ ହେବାକୁ ପ୍ରାୟ ୪ ମିନିଟ ସମୟ ଥିବା ବେଳେ ଭାରତ ଗୋଲ କିପର ଶ୍ରୀଜେଶଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ମିଡ ଫିଲ୍ଡକୁ ଛାଡ଼ି ଥିଲା। ହେଲେ ସୁଫଳ ମିଳିନଥିଲା। ପରେ ମ୍ୟାଚ୍‌ ସରିବାକୁ ୧ ମିନିଟ ଥିବା ବେଳେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣର। ଗୋଲ କରି ଭାରତକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ ହରମନପ୍ରୀତ ସିଂହ।

Leave A Reply

Your email address will not be published.