ହିତାଧିକାରୀଙ୍କୁ ମିଳିବ ଭୂମି ପ୍ରମାଣପତ୍ର, ମିଳିଲା ଅନୁମୋଦନ
ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍ ଅଧିବେଶନର ସପ୍ତମ ଦିନ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ଜାଗା ମିଶନ ଯୋଜନାକୁ ସବୁଜ ସଂକେତ ମିଳିଛି। ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ୨,୫୪,୬୭୨ ହିତାଧିକାରୀଙ୍କୁ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାକୁ ଅନୁମୋଦନ ମିଳିଛି।
ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି। ଫଳରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି।
ଏହା ବାଦ୍ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାମ ଆରମ୍ଭ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଘର ଅପେକ୍ଷାରେ ଅଛନ୍ତି।