Odisha Link
Bridging the Missing Links in Odisha

ଗୁରୁବାର ପାଇଥିଲେ ପଦୋନ୍ନତି, ଶନିବାର ବାନ୍ଧିଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ପଦୋନ୍ନତି ପାଇବା ପର ଦିନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଆଉ ଚଢ଼ାଉର ଦିନକ ପରେ ଗିରଫ ହେଲେ ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ଗୁରୁବାର ଚାକିରିରେ ପଦୋନ୍ନତି ପାଇଥିବା ପ୍ରଭାସ କୁମାର ପ୍ରଧାନ ଶନିବାର ଦିନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

ଶୁକ୍ରବାର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ପ୍ରଭାସ କୁମାର ପ୍ରଧାନ ଅର୍ଜନ କରିଥିବା ସଂପତ୍ତି ଲୋକଲୋଚନକୁ ଆସିଥିଲା। ଏଥିସହିତ ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଅଛି। ସେଥିରୁ ୮୦ଟି କେବଳ ଜଳେଶ୍ୱରରେ ଅଛି। ୪ଟି ପୁରୀ ଜିଲ୍ଲାର ଡେଲାଙ୍ଗରେ ଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗର ସୁନାକନିଆରେ ଅଛି। ଏସବୁ ପ୍ଲଟ୍‌ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ। ତେବେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସେହିପରି ଜଳେଶ୍ୱରରେ ଶ୍ରୀ ପ୍ରଧାନଙ୍କର ଏକ ୫ ମହଲା କୋଠା ଅଛି। ପ୍ରାୟ ୧୨,୫୦୦ ବର୍ଗଫୁଟ୍‌ ଅଞ୍ଚଳରେ ଏହି ୫ ମହଲା କୋଠା ନିର୍ମିତ ହୋଇଛି। ସେହିପରି ଜଳେଶ୍ୱରର ଗୋବରା ଘାଟରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଓ ଲେବର ଶେଲଟର ଶେଡ୍ ଅଛି, ଯାହା ୬୧୫୧ ବର୍ଗଫୁଟ୍ ଜାଗାରେ ନିର୍ମିତ ହୋଇଛି।

କେବଳ ସେତିକି ନୁହେଁ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଛି। ତା’ ସହିତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେଥିରେ ଗୋଟିଏ ସୁନା ବିସ୍କୁଟ ରହିଛି। ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ରଖିଛନ୍ତି।

Leave A Reply

Your email address will not be published.