ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ମିଳୁନି ପତ୍ତା, ଭାଇକୁ ଚିହ୍ନଟ ପାଇଁ ଭଉଣୀର ଡିଏନ୍ଏ ସାମ୍ପଲ ସଂଗ୍ରହ
ଓଏଲ୍ ବ୍ୟୁରୋ: କେରଳର ଓ୍ବାୟନାଡରେ ସବୁକିଛି ଉଜାଡ଼ି ଦେଇଛି ଭୂସ୍ଖଳନ। କେରଳ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୦୨ଛୁଇଁଛି। ଏଥିସହିତ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଲୋକଙ୍କ ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ୧୨୦୦ ଟିମ୍ ନିୟୋଜିତ ଅଛନ୍ତି। ସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ପୁଲିସ ଓ ଅଗ୍ନିଶମ ବାହିନୀର ସଶକ୍ତ ଟିମ୍ ଉଦ୍ଧାର କାର୍ଯ୍ୟରେ ଏବେ ବି ନିୟୋଜିତ ଅଛନ୍ତି। ବର୍ତ୍ତମାନ ଚୁରାଲମାଳା, ଭେଲରିମାଳା, ମୁଣ୍ଡକାଇଲ ଏବଂ ପୁଞ୍ଚିରିମାଡୋମ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଏବେବି ୧୭୦ ଲୋକ ନିଖୋଜ ଅଛନ୍ତି। ମାଟି ତଳେ ଅନେକ ଜୀବନ ରହିଛି। ସେମାନଙ୍କୁ ଖୋଜିବା ପାଇଁ ରାଡାର୍ ଡ୍ରୋନ୍ର ସହାୟତା ନେଉଛି ଉଦ୍ଧାରକାରୀ ଦଳ। ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ଏପଯ୍ୟନ୍ତ ମିଳୁନଥିବାବେଳେ ଡିଏନ୍ଏ ସାମ୍ପଲ ଦେଲେ ସୋମାଲି। ଭାଇକୁ ଚିହ୍ନଟ ପାଇଁ ସ୍ୱାଧୀନଙ୍କ ଭଉଣୀ ସୋମାଲି ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଆସିବ ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବ। ତେବେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତେବେ ଏନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍ଡି ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡର ପ୍ରଳୟଙ୍କରୀ ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ନିଖୋଜ ହୋଇଯାଇଥିଲେ। ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ସ୍ୱାଧୀନ ନିଖୋଜ ରହିଥିବା ଜଣାପଡ଼ିଛି।