Odisha Link
Bridging the Missing Links in Odisha

ଶାସନଗାଦିରୁ ହସିନାଙ୍କୁ ଗାଦିଚ୍ୟୁତ କରିବା ପଛରେ ୩ ଛାତ୍ରନେତା, କିଏ ସେମାନେ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୧ ତାରିଖରେ ଭାରତ ଆସିଥିଲେ ତତ୍କାଳୀନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରେଡ କାର୍ପେଟରେ ସ୍ବାଗତ କରିଥିଲେ। ହେଲେ ୪୫ ଦିନ ପରେ କାହାଣୀ ଭିନ୍ନ ମୋଡ଼ ନେଇଛି। ବାଂଲାଦେଶ ହିଂସା ମଧ୍ୟରେ ହସିନା ଭାରତ ଆସିଛନ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ। ତେବେ ବାଂଲାଦେଶରେ ଏଭଳି କ’ଣ ଘଟିଲା ଯେଉଥିପାଇଁ ଶାସନଗାଦି ଛାଡ଼ିବା ସହିତ ଶେଖ୍‌ ହସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଲା। ପଢ଼ନ୍ତୁ ଏହି ରିପୋର୍ଟରେ

୩ ଛାତ୍ର ନେତାଙ୍କ ପାଇଁ ଶାସନ ଗାଦି ହରାଇବା ସହିତ ଦେଶ ଛାଡ଼ିବାକୁ ବାଧ୍ୟ ହେଲେ ଶେଖ୍‌ ହସିନା। ୩ ଛାତ୍ର ନେତାଙ୍କ ଦ୍ବାରା ବିଶ୍ବବିଦ୍ୟାଳୟ ପରିସରରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନ ଏତେ ମାତ୍ରାରେ ଦେଶରେ ବ୍ୟାପିଗଲା ଯେ ଶେଖ୍‌ ହସିନା ୧୫ ବର୍ଷ ଧରି ଯେଉଁ ଶାସନ ଗାଦିରେ ବସିଥିଲେ ତାକୁ ଛାଡ଼ିବା ସହିତ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ସେହି ୩ ଛାତ୍ରନେତା କିଏ, ଯାହାଙ୍କ ପାଇଁ ବାଂଲାଦେଶ ସ୍ଥିତି ଅଣାୟତ୍ତ ହୋଇପଡ଼ିିଛି। ସେ ତିନି ଛାତ୍ର ନେତା ହେଉଛନ୍ତି ନାହିଦ ଇସଲାମ, ଅବୁ ବକର ମଜୁମଦାର ଓ ଆସିକ ମହମୁଦ। ଏହି ୩ ଛାତ୍ରନେତା ବାଂଲାଦେଶ ସରକାରଙ୍କୁ ଗାଦିଚ୍ୟୁତ କରି ଏବେ ଚର୍ଚ୍ଚାରେ।

ନାହିଦ ଇସଲାମ: ଅଚେତ ଅବସ୍ଥାରେ ପୋଲ ତଳୁ ଉଦ୍ଧାର ହୋଇଥିଲେ

ନାହିଦ ଇସଲାମ ବାଂଲାଦେଶ ଛାତ୍ର ଆନ୍ଦୋଳନର ସବୁଠୁ ବଡ଼ ଚେହେରା। ସେ ରବିବାର କହିଥିଲେ ଯେ ଆଜି ଲାଠି ଉଠାଇଛୁ, ଯଦି ଲାଠି ଦ୍ବାରା କମା ନହେଲା ତେବେ ଅସ୍ତ୍ର ଉଠାଇବୁକୁ ବି ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ହସିନା ଦେଶକୁ ଗୃହଯୁଦ୍ଧ ଭିତରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ଏବେ ଶେଖ୍‌ ହସିନାଙ୍କୁ ନିଷ୍ପତ୍ତି ନେବାକୁ ଅଛି ଯେ ତାଙ୍କର ପଦରୁ ହଟିବେ ନା ପଦରେ ରହିବା ପାଇଁ ରକ୍ତପାତର ସାହାର ନେବେ। ଯାହା ଆନ୍ଦୋଳନକାରୀଙ୍କ ମନରେ ନିଆଁ ଲଗାଇଥିଲା।

ସୂଚନାଥାଉକି, ନାହିଦ ଢାକା ବିଶ୍ବବିଦ୍ୟାଳୟର ଜଣେ ଛାତ୍ର। ବାଂଲାଦେଶରେ ଜୁନ୍‌ ୫ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଭିତରେ ପୁଲିସ ତାଙ୍କ ଉପରେ ମାମଲା ରୁଜୁ କରି ଜୁଲାଇ ୨୦ ତାରିଖରେ ଉଠାଇ ନେଇଥିଲା। ହେଲେ ପୁଲିସ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲା। ପରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ନାହିଦଙ୍କୁ ପୁଲିସ ପୋଷାକରେ ଥିବା କିଛି ବ୍ୟକ୍ତି ନାହିଦଙ୍କୁ ଗାଡ଼ିରେ ନେଇ ବସାଉଥିବାର। ନାହିଦ ନିଖୋଜ ହେବାର ୨୪ ଘଣ୍ଟା ପରେ ଏକ ପୋଲ ତଳୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ଲୁହା ରଡରେ ମାଡ଼ ହୋଇଥିବା ଅଭିଯୋଗ ଆଣିଥିଲେ।

ଆସିଫ୍ ମହମୁଦ: ପୁଲିସ ଦେଇଥିଲା ଅଚେତ ଇଞ୍ଜେକସନ୍

ଆସିଫ୍ ମହମୁଦ ମଧ୍ୟତ ଢାକା ବିଶ୍ୱବିଦ୍ୟାଳୟର ଛାତ୍ର। ଜୁନ ମାସରୁ ଦେଶରେ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସେ ମଧ୍ୟ ଜଣେ ଛାତ୍ରନେତା। ଜୁଲାଇ ୨୬ ତାରିଖରେ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଥିଲା। ସେଠାରେ ତାଙ୍କୁ ମାଡ ମାରି ଏକ ଭିଡିଓ କରାଇଥିଲା। ଯେଉଁଥିରେ ସେ ଆଉ ଆନ୍ଦୋଳନରେ ଭାଗ ନେବେ ନାହିଁ ବୋଲି କହିଥିଲେ। ନାହିଦଙ୍କ ଭଳି ଆସିଫଙ୍କୁ ମଧ୍ୟ ପୁଲିସ ଅଚେତ ଇଞ୍ଜେକସନ୍‌ ଦେଇଥିଲା। ଫଳରେ ସେ ଅନେକ ଦିନ ଧରି ବେହୋଶ ଅବସ୍ଥାରେ ରହିଥିଲେ। ଅଗଷ୍ଟ ପହିଲାରେ ଛାତ୍ରମାନେ ଜୋରଦାର ଆନ୍ଦୋଳନ କରିବା ଫଳରେ ତାଙ୍କୁ ପୋଲିସ ଛାଡି ଦେଇଥିଲା। ଶେଖ ହସିନା ଦେଶ ଛାଡିବା ପରେ ଆସିଫ ତାଙ୍କ ବୟାନରେ କହିଛନ୍ତି କି, ଦେଶରେ ସେନା ଶାସନକୁ ଗ୍ରହଣ କରାଯିବ ନାହିଁ।

ଅବୁ ବକ୍କର ମଜୁମଦାର: ଅପହରଣର ଶିକାର ହୋଇଥିଲେ

ଶେଖ ହସିନାଙ୍କୁ ଦେଶରୁ ବିଦା କରିବା ପଛରେ ଅବୁ ବକ୍କର ମଜୁମଦାରଙ୍କର ବଡ ଭୂମିକା ରହିଛି। ସେ ଢାକା ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗର ଛାତ୍ର। ଏହାସହ ସେ ମାନାବାଧିକାର ଓ ସାମାଜିକ ଅଧିକାରକୁ ନେଇ କାମ କରୁଛନ୍ତି। ଜୁନ ୫ ତାରିଖରେ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ପରେ ଅବୁ ବକ୍କର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଏକାଠି କରି ଷ୍ଟୁଡେଣ୍ଟ ଏଗନେଷ୍ଟ ଡିସକ୍ରିମିଶନ ମୁଭମେଣ୍ଟ ଆରମ୍ଭ କରିଥିଲେ। ତାଙ୍କୁ ମଧ୍ୟ ଜୁଲାଇ ୧୯ ତାରିଖରେ ଅପହରଣ କରାଯାଇଥିଲା। କିଛିଦିନ ତାଙ୍କର କିଛି ଖବର ମିଳିନଥିଲା। ହେଲେ ଅପହରଣକାରୀମାନେ ତାଙ୍କୁ ଯେଉଁଠାରୁ ନେଇଥିଲେ, ସେହିଠାରେ ଛାଡିଦେଇଗଲେ।

ସୂଚନାଥାଉକି, ବାଂଲାଦେଶରେ ଯେଉଁ ହିଂସା ଦେଖିବାକୁ ମିଳୁଛି ତାର ମୂଳ କାରଣ ହେଉଛି କୋଟା ସଂରକ୍ଷଣ। କୋଟା ବିରୋଧୀ ହିଂସା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଶାସନ ଗାଦି ଛାଡ଼ି ବାଂଲାଦେଶ ଛାଡ଼ିଛନ୍ତି। ତେବେ ଏହି ସଂରକ୍ଷଣ ବା କୋଟା କ’ଣ ଯେଉଁଥିପାଇଁ ଏତେ ‌ଲୋକଙ୍କ ଜୀବନ ଯାଇଛି ଏବଂ ହସିନାଙ୍କୁ ପଦ ହରାଇବାକୁ ପଡ଼ିଛି। ସାଂପ୍ରତିକ ପରିସ୍ଥିତିରେ କୋଟା ବିବାଦ ଗତ ଜୁନ୍‌ ୫ ତାରିଖରୁ ଆରମ୍ଭ ହୋଇଛି।

କୋଟା ସଂରକ୍ଷଣ ବିବାଦ କ’ଣ ?

ବାଂଲାଦେଶରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପୂର୍ବରୁ ଥିଲା। କିନ୍ତୁ ଏହାକୁ ଦେଶର ସାଧାରଣ ବର୍ଗର ଛାତ୍ରମାନେ ଜୋରଦାର ବିରୋଧ କରିଥିଲେ। ପ୍ରବଳ ବିରୋଧ ମଧ୍ୟରେ ହସିନା ୨୦୧୮ରେ ଏହି କୋଟା ପଦ୍ଧତିକୁ ଉଚ୍ଛେଦ କରିବାପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହସିନା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରି ହାସିନା ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ ଏବଂ ଜୁନ୍‌ ୫ ତାରିଖରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାଂଲାଦେଶରେ ଛାତ୍ରମାନେ ହାଇକୋର୍ଟଙ୍କ ରାୟକୁ ପ୍ରବଳ ବିରୋଧ କରିଥିଲେ। ସେମାନେ ଏହି ସଂରକ୍ଷଣ ହଟାଇବାକୁ ଚାହିଥିଲେ। କିନ୍ତୁ ହସିନା ଛାତ୍ରଙ୍କର ଏହି ଦାବି ପ୍ରସଙ୍ଗରେ କିଛି ଉତ୍ତର ରଖିନଥିଲେ। ମାମଲା କୋର୍ଟରେ ବିଚରାରାଧୀନ ଥିବାରୁ ସେ ଏହି ମାମଲାରେ ହସ୍ତ‌କ୍ଷେପ କରିବେନି ବୋଲି କହିଥିଲେ।

ପରେ ଏହି ପ୍ରସଙ୍ଗରେ ଶେଖ୍‌ ହସିନା ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ଆନ୍ଦୋଳନକାରୀଙ୍କ ଆନ୍ଦୋଳନରେ ନିଆଁ ଲଗାଇବା ସଦୃଶ ହୋଇଥିଲା। ସେ କୋଟାବୁ ବିରୋଧ କରୁଥିବା ଜନତାଙ୍କୁ ହସିନା ରଜାକାର ବୋଲି କହିଥିଲେ। ସେ ଆହୁରି କହିଥିଲେ। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଛାତ୍ର ନୁହନ୍ତି ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ଏକ ଶିକ୍ଷା ଦେବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ରଜାକାର ଅର୍ଥ ଦେଶ ବିରୋଧୀ ଶକ୍ତି।

ହସିନାଙ୍କ ଏହି ପ୍ରତିକ୍ରିୟା ପରେ ଜୁଲାଇ ୧୪ ତାରିଖରେ ହସିନାଙ୍କ ଏହି ଟିପ୍ପଣୀକୁ ବିରୋଧ କରି ଢାକା ବିଶ୍ବବିଦ୍ୟାଳୟର ଛାତ୍ରମାନେ ବିଶ୍ବବିଦ୍ୟାଳୟ ଛାଡ଼ି ବଡ଼ଧରଣର ଆନ୍ଦୋଳନ କରିଥିଲେ। ହସିନାଙ୍କ ଟିପ୍ପଣୀକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା ଏବଂ ହିଂସାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପରେ ବାଂଲାଦେଶର ସୁପ୍ରିମକୋର୍ଟ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ହସ୍ତକ୍ଷେପ କରି ସଂରକ୍ଷଣ ହାର ୫ ପ୍ରତିଶତକୁ ହ୍ରାସ କରିଥିଲେ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ନଥିଲେ।

ସଂରକ୍ଷଣ ପ୍ରସଙ୍ଗରେ ଛାତ୍ରଙ୍କ ଦାବି ପୂରଣ ହୋଇଥିଲେ ସୁଦ୍ଧା ସେମା‌ନେ ପୁଣିଥ‌ରେ ହସିନାଙ୍କ ଟିପ୍ପଣୀ ପାଇଁ ତାଙ୍କଠାରୁ କ୍ଷମା ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ। ସେମାନଙ୍କ ହସିନାଙ୍କଠାରୁ କ୍ଷମା ଦାବି କରିଥିଲେ ଏବଂ ଇସ୍ତଫା ଦାବି କରିଥିଲେ। ରବିବାର ସେମାନେ ହସିନାଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଯାହା ଏବେ ସାରା ଦେଶରେ ହିଂସା ସ୍ଥିତି ସୃଷ୍ଟି କରିଛି।

 

Leave A Reply

Your email address will not be published.