Odisha Link
Bridging the Missing Links in Odisha

ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଓଏଲ୍‌ ବ୍ୟୁରୋ: ସାରା ଦେଶ ୭୮ ତମ ସ୍ବାଧୀନତା ଦିବସ ପାଳନ କରିବାର ପ୍ରସ୍ତୁତି ଚଳାଇଥିବା ବେଳେ ଧର୍ମଘଟରେ ଡାକ୍ତର। କୋଲକାତାରେ ଟ୍ରେନି ଡାକ୍ତରଙ୍କ ହତ୍ୟାକୁ ବିରୋଧ କରି ଡାକ୍ତରମାନେ ସାରା ଦେଶରେ ପ୍ରତିବାଦ କରୁଛନ୍ତି। ଦିଲ୍ଲୀ ଏମ୍ସ ସମେତ ଅନେକ ସରକାରୀ ଡାକ୍ତରଖାନାର ରେସିଡେଂଟ ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି। ଓପିଡି, ଓଟି ଓ ୱାର୍ଡ ସେବା ଠପ୍ ହୋଇଯାଇଛି।

ଦିଲ୍ଲୀର ଲେଡି ହାର୍ଡିଂ ମେଡିକାଲ କଲେଜ, କଳାବତୀ ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ, ରାମ ମନୋହର ଲୋହିଆ ଆଦି ହସ୍ପିଟାଲର ଓପିଡି ସେବା, ଇଲେକ୍ଟିଭ୍ ସର୍ଜରୀ ଏବଂ ଲ୍ୟାବ ସେବା ବନ୍ଦ ରହିଛି। ଫଳରେ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ସମୟରେ ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିଛି।

ସେହିପରି ବିଳମ୍ବ ନକରି ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବି ମଧ୍ୟ କରିଛି ଡାକ୍ତର ସଂଘ। ଅଧ୍ୟକ୍ଷଙ୍କ ସହ ହସ୍ପିଟାଲର ସୁରକ୍ଷା ଅଧିକାରୀ ଇସ୍ତଫା ଦାବି ମଧ୍ୟ କରାଯାଇଛି।
ଆଉ କ’ଣ ରହିଛି ଦାବି ଜାଣନ୍ତୁ:
ମୃତ ଡାକ୍ତରଙ୍କ ନାଁରେ ମେଡିକାଲ କଲେଜର ବିଲଣ୍ଡିଂ କିମ୍ବା ଲାଇବ୍ରେରୀକୁ ନାମିତ କରାଯାଉ
ଡାକ୍ତରଙ୍କ ପରିବାରକୁ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇବାକୁ ଦାବି
ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଉ
ଡାକ୍ତରଙ୍କ ପାଇଁ ସେଣ୍ଟ୍ରାଲ ପ୍ରୋଟେକସନ ଆକ୍ଟ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି

ଅନ୍ୟପଟେ କୋଲକାତା ଆରଜି କର ମେଡିକାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ତିନି ଡାକ୍ତରଙ୍କୁ ଜେରା କରାଯିବାର ସୂଚନା ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ କୋଲକାତା ପୁଲିସରେ ଚୁକ୍ତି ଭିତ୍ତିରେ କାମ କରୁଥିଲେ। ମାସକୁ ୧୨ ହଜାର ଟଙ୍କା ଦରମା ପାଉଥିବା ସହ କୋଲକାତା ପୁଲିସର ଲୋଗୋ ଥିବା ପୋଷାକ ପିନ୍ଧୁଥିଲେ।

Leave A Reply

Your email address will not be published.