୭ଟି ପଞ୍ଚାୟତ ସମିତିରେ ହେବ ଉପନିର୍ବାଚନ, ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ
ଓଏଲ୍ ବ୍ୟୁରୋ: ରାଜ୍ୟର ୭ଟି ପଞ୍ଚାୟତ ସମିତିରେ ହେବ ଉପନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ ସମିତି ଗୁଡିକ ହେଲା ଗଞ୍ଜାମର କବିସୂର୍ଯ୍ୟନଗର, କୁକୁଡାଖଣ୍ଡି ଓ ଖଲ୍ଲିକୋଟ। କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡ଼ର ଭାପୁରରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ସବୁଠୁ ବଡ଼କଥା ହେଲା ଆଜି ନିର୍ବାଚନ କମିଶନର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ। ଏବେ ନିର୍ବାଚନ ନକରିବାକୁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ। ହାଇକୋର୍ଟଙ୍କ ରୋକ୍ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିପାଇଁ ଅଗଷ୍ଟ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଆବଶ୍ୟକ ହେଲେ ୨୨ ତାରିଖ ଦିନ ୧୨ଟା ୩୦ରୁ ୨ ଟା ମଧ୍ୟରେ ଭୋଟଗ୍ରହଣ ହେବ। ଭୋଟଗ୍ରହଣ ସରିବା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।