ରିମାଣ୍ଡ ବେଳେ ଖୋଲିଲା ରୋମିଓ ସତ୍ୟଜିତଙ୍କ ସାଘାଂତିକ ସତ, ଖୋଲିଲା ବଡ଼ ଗୁମର
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା ରୋମିଓ ସତ୍ୟଜିତ ସାମଲ ଗିରଫ ଘଟଣାରେ ନୂଆ ମୋଡ଼। ପୁଲିସ ରିମାଣ୍ଡ ବେଳେ ଖୋଲିଲା ସତ୍ୟଜିତଙ୍କ ଗୁମର। ସାମ୍ନାକୁ ଆସିଲା ସାଘାଂତିକ ସତ। ଏକାଧିକ ମହିଳାଙ୍କଠାରୁ ୫୦ ଲକ୍ଷ ଟଙ୍କା ଠକିଛି ସତ୍ୟଜିତ।
ଗତକାଲି ତାଙ୍କ ସହଯୋଗୀ ରହସ୍ୟମୟୀ ମହିଳାଙ୍କୁ ଜେରା କରିବା ପରେ ଏଭଳି ସାଘାଂତିକ ସତ ସାମ୍ନାକୁ ଆସିଛି। ରହସ୍ୟମୟୀ ମହିଳା ଜଣଙ୍କ ମଧ୍ୟ ସତ୍ୟଜିତର ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ୨ଟି ନୂଆ ଗାଡ଼ି କିଣିବାକୁ ଆଡଭାନ୍ସ ମଧ୍ୟ ଦେଇ ସାରିଥିଲା ସତ୍ୟଜିତ। ଏନେଇ ଗାଡ଼ି ସୋ’ରୁମକୁ ଯାଇ ପଚରାଉଚରା କରିବ ପୁଲିସ। ଏଥିସହିତ ଏବେ ପୁଲିସର ନଜର ସତ୍ୟଜିତଙ୍କ ଭାଇ ବିଶ୍ବଜିତ ରହିଛି।
ସୂଚନା ଅନୁସାରେ, ଗତ ଅଗଷ୍ଟ ୩ ତାରିଖରେ ରସିକିଆ ପ୍ରେମିକ ସତ୍ୟଜିତ ସାମଲକୁ ଗିରଫ କରିଥିଲା ପୁଲିସ। ପରେ ରିମାଣ୍ଡରେ ନେଇ ସତ୍ୟଜିତର ଗୋଟେ ପରେ ଗୋଟେ ଗୁମର ଖୋଲିଥିଲା କମିଶନରେଟ ପୁଲିସ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା ସତ୍ୟଜିତ। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୯୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା।
ପୂର୍ବରୁ ୪୯ ଜଣ ମହିଳାଙ୍କ ସହ ଲିଙ୍କ ଥିବା ନେଇ କୁହାଯାଉଥିବା ବେଳେ ପରେ ପ୍ରକୃତ ସତ ବାହାରିଥିଲାl ୪୯ ନୁହେଁ ବରଂ ୯୯ ମହିଳାଙ୍କ ମନର ରାଜକୁମାର ଥିଲା ସତ୍ୟଜିତ। ରିମାଣ୍ଡରେ ନେଇ ପଚରା ଉଚରା ସମୟରେ ଫେକ୍ ଆଇଡି ସହ ପାସପୋର୍ଟ ଜବତ କରିଥିଲା ପୁଲିସ। ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ମଧ୍ୟ ଜଣାପଡିଥିଲା। ଏଥିସହିତ ଅଭିଯୁକ୍ତ ଅନେକ ମହିଳାଙ୍କ ଭିଡ଼ିଓ ସୁଟ କରି ଯେଉଁ ପେନଡ୍ରାଇଭରେ ରଖିଥିଲା ତାହାକୁ ମଧ୍ୟ ଜବତ କରିଥିଲା ପୁଲିସ।