Odisha Link
Bridging the Missing Links in Odisha

ଏଣିକି ବାର୍‌ଗାର୍ଲ ନାଚିବା ମନା, ବିଜ୍ଞପ୍ତି ପ୍ରକାଶ ପରେ ବାର ଗାର୍ଲଙ୍କ ବିକ୍ଷୋଭ

ଓଏଲ୍‌ ବ୍ୟୁରୋ: ଏଣିକି ରାଜଧାନୀ ଭୁବନେଶ୍ବରର ବାର୍‌ ଗୁଡ଼ିକରେ ଆଉ ନାଚି ପାରିବେନି ବାର୍‌ଗାର୍ଲ। ଭୁବନେଶ୍ବର ଅବକାରୀ ଜିଲ୍ଲା ଅଧୀକ୍ଷକ ବାର୍‌ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଆଜି ଏହାକୁ ପ୍ରତିବାଦ କରିଛନ୍ତି ବାର୍‌ଗାର୍ଲ। ଭୁବନେଶ୍ବର ଅବକାରୀ ଜିଲ୍ଲା ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଅର୍କେଷ୍ଟା ମାଲିକ କହିଛନ୍ତି, ଆମର ଏଟା ଡ୍ୟାନ୍ସ ବାର୍‌ ନୁହେଁ। ଆମର ହେଉଛି ଅର୍କେଷ୍ଟା। ଗାଁ ଝିଅ ସବୁ ଆସନ୍ତି ଯାହା ଦି ପଇସା ରୋଜଗାର କରନ୍ତି ବୋଲି କହିଛନ୍ତି।

ସୂଚନାଥାଉକି, କିଛି ବାର୍‌ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି। ରାତି ତମାମ ଡିଜେ ବଜାଉଛନ୍ତି। ରାତିଅଧ ଯାଏ ବାର୍‌ ଖୋଲା ରହିବାରୁ ଗଣ୍ଡଗୋଳ ମଧ୍ୟ ଘଟୁଛି। ବାର୍‌ଗାର୍ଲଙ୍କୁ ନିର୍ଯାତନା ଦିଆଯିବା, ସେମାନଙ୍କୁ ଗ୍ରାହକଙ୍କ ସହିତ ରାତ୍ରିଯାପନ ପାଇଁ ବାଧ୍ୟ କରାଯିବା, ଏପରିକି ‌କିଛି ବାର୍‌ଗାର୍ଲ ଆତ୍ମହତ୍ୟା କରିବା ଭଳି ଘଟଣା ମଧ୍ୟ ନିୟମିତ ଦେଖା ଯାଉଛି। ଏହାକୁ ନେଇ ସାଧାରଣରେ ଅନେକ ଅସନ୍ତୋଷ ଓ ଅଭିଯୋଗ ରହିଥିଲା। ଏହାକୁ ନଜରରେ ରଖି ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ୍‌ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜିଲ୍ଲାର ସମସ୍ତ ଅବକାରୀ ଉପଅଧୀକ୍ଷକ, ଇନ୍ସପେକ୍ଟର ଓ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ଲାଇସେନ୍ସପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଆଉ ନିଜର ବାର‌୍ ପରିସରରେ ନୃତ୍ୟ ପରିବେଷଣ କରିପାରିବେ ନାହିଁ। ଏପରିକି ଯେଉଁ ଲାଇସେନ୍ସପ୍ରାପ୍ତ ଠିପିଖୋଲା ବିଦେଶୀ ମଦ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନରେ ବାର୍‌ ଖୋଲିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଉଥିବା ମଦ ଦୋକାନ ସାଇନବୋର୍ଡ ରହିବ ନାହିଁ। ତୁରନ୍ତ ସେଠାରୁ ସାଇନ୍‌ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.