ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ
ଓଏଲ୍ ବ୍ୟୁରୋ: ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜିଜୁ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି। ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ନୂଆ ବିଧାୟକମାନଙ୍କୁ ନିଜ ଅନୁଭୂତି ବାଣ୍ଟିବେ କେନ୍ଦ୍ରମନ୍ତ୍ରୀ, ଏହାପରେ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ।
ଅନ୍ୟପଟେ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟ କଟ୍ କରିଛନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ। ତେବେ ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି। ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚାଲିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏଥର ୮୭ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି। ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୁଏ। ସେହି କ୍ରମରେ ଏହା ଆୟୋଜନ କରାଯାଇଛି।
ପ୍ରଥମ ଦିନ ତଥା ଉଦଘାଟନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ସାମିଲ ହେବା ନେଇ କାର୍ଯ୍ୟ ସ୍ଥିର ହୋଇଥିଲା। ଯାହା ପରେ ପୂରା କାର୍ଯ୍ୟକ୍ରମକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେଡି। ତେବେ ସଂଶୋଧନ ପରେ ଅତିଥି ତାଲିକାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପ୍ରଶିକ୍ଷଣ ଶିବିରରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ଯୁକ୍ତି, ଏହା କୌଣସି ରାଜନୈତିକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନୁହେଁ।