Odisha Link
Bridging the Missing Links in Odisha

ବିଧାୟକଙ୍କ ୨ ଦିନିଆ ପାଠଶାଳା ଆରମ୍ଭ, ଆସିଲେନି ବିଜେଡି-କଂଗ୍ରେସ ବିଧାୟକ

ଓଏଲ୍‌ ବ୍ୟୁରୋ: ଆଜିଠୁ ୨ ଦିନିଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ହେବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଯୋଗ ଦେଇଛନ୍ତି। ଅନ୍ୟପଟେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ବୟକଟ୍‌ କରିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।

ଗୃହର ଗରିମା ନଷ୍ଟ ହେଉଥିବା ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ନ ଆସିବାକୁ ଘୋଷଣା କରିଥିଳା। ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏଥର ୮୭ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି। ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୁଏ। ସେହି କ୍ରମରେ ଏହା ଆୟୋଜନ କରାଯାଇଛି।

ପ୍ରଥମ ଦିନ ତଥା ଉଦଘାଟନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ସାମିଲ ହେବା ନେଇ କାର୍ଯ୍ୟ ସ୍ଥିର ହୋଇଥିଲା। ଯାହା ପରେ ପୂରା କାର୍ଯ୍ୟକ୍ରମକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେଡି। ତେବେ ସଂଶୋଧନ ପରେ ଅତିଥି ତାଲିକାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପ୍ରଶିକ୍ଷଣ ଶିବିରରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ଯୁକ୍ତି, ଏହା କୌଣସି ରାଜନୈତିକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନୁହେଁ।

Leave A Reply

Your email address will not be published.