ଗୃହରେ ବିରୋଧୀଙ୍କ ହୋହଲ୍ଲା, ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସର ନାରାବାଜି
ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଛି। ଗତକାଲି ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ।
ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ଓ ମାଧବ ଧଡାଙ୍କ ପୋଡିଅମ ଚଢ଼ିବା ଘଟଣାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିନ୍ଦା ପ୍ରସ୍ତାବ ଆଣିଥିଲେ। ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ନିନ୍ଦା କରି ଗୃହ ମୁଲତବୀ ରଖାଯାଇଛି।
ଆଜି ବିଧାନସଭା ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। ଶୂନ୍ୟକାଳରେ ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସର ହୋହଲ୍ଲା କରିଥିବାବେଳେ ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ବିରୋଧୀ ପ୍ରତିବାଦ କରିଛନ୍ତି। OBC, SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟ ନାରାବାଜି କରିଛନ୍ତି ।