ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ ଘୋଷଣା
ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ପଞ୍ଚମ ଦିବସ। ଏହି ଅବସରରେ ଗୃହ ସରଗରମ ରହିଥିବାବେଳେ ପ୍ରଥମେ ୧ ଘଣ୍ଟା ପାଇଁ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଚଳାବସ୍ଥା ସୃଷ୍ଟି ହେବାରୁ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି।
ସୂଚନା ଅନୁସାରେ, ଗତକାଲି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ ବିରୋଧୀ ସଦସ୍ୟ। ଏହା ପରେ ଗୃହ ମୁଲତବୀ ରଖାଯାଇଥିଲା। ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ଓ ମାଧବ ଧଡାଙ୍କ ପୋଡିଅମ ଚଢ଼ିବା ଘଟଣାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିନ୍ଦା ପ୍ରସ୍ତାବ ଆଣିଥିଲେ।
ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ନିନ୍ଦା କରି ଗୃହ ମୁଲତବୀ ରଖାଯାଇଥିଲା। ଶୂନ୍ୟକାଳରେ ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସ ହୋହଲ୍ଲା କରିଥିବାବେଳେ ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ବିରୋଧୀ ପ୍ରତିବାଦ କରିଛନ୍ତି। OBC, SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟ ନାରାବାଜି କରିଥିଲେ। ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି।