Odisha Link
Bridging the Missing Links in Odisha

ଯାଜପୁର ସାଂସଦଙ୍କୁ ହାଇକୋର୍ଟ ନୋଟିସ୍

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ହେଲେ ସରୁନାହିଁ ହାଇକୋର୍ଟଙ୍କ ନୋଟିସ୍। ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଜାରି କରିଛନ୍ତି ନୋଟିସ୍। ଏଥର ବିଧାୟକ ନୁହେଁ ସାଂସଦଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଯାଜପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ଅନିୟମିତତା ମୋକଦ୍ଦମାର ଶୁଣାଣି କରି ଯାଜପୁର ଲୋକସଭା ସାଂସଦ ରବିନ୍ଦ୍ରନାରାୟଣ ବେହେରାଙ୍କୁ ନୋଟିସ ଜାରି କରିଛନ୍ତି। ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସତ୍ୟପାଠରେ ସଠିକ ତଥ୍ୟ ଉଲ୍ଲେଖ କରିନଥିବା ଅଭିଯୋଗ ହୋଇଥିବାବେଳେ ଅକ୍ଟୋବର ୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନା ଅନୁସାରେ, ଏହାପୂର୍ବରୁ ନିର୍ବାଚନୀ ଅନିୟମିତତା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଉରକେଲା ବିଧାୟକ ସାରଦା ପ୍ରସାନ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍‌ ଜାରି କରିଥିଲେ ହାଇକୋର୍ଟ। ଏହା ସହ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଦେଇଥିଲେ।ସେହିପରି ଜୁଲାଇ ୨୫ ତାରିଖରେ ବାଲେଶ୍ୱର ଜିଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଏବଂ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଏହି ନୋଟିସ୍‌ ଜାରି ହୋଇଥିଲା। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଥିଲା। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି।

Leave A Reply

Your email address will not be published.