ଆଜିଠୁ ପ୍ୟାରିସ୍ ପାରାଲିମ୍ପିକ୍ସ, ଭାଗ ନେବେ ୪୪୦୦ ଭିନ୍ନକ୍ଷମ ଖେଳାଳି
ଓଏଲ୍ ବ୍ୟୁରୋ: ସରିଛି ବିଶ୍ବର ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ହେଲେ ଏବେବି ତାଜା ରହିଛି କ୍ରୀଡ଼ାର ମହକ। ପୁଣିଥରେ ଆଜିଠୁ କ୍ରୀଡ଼ା ପ୍ରେମୀ ଆନନ୍ଦ ଉଠାଇପାରିବେ ନିଜ ମନ ପସନ୍ଦର କ୍ରୀଡ଼ାକୁ ଉପଭୋଗ କରିବାକୁ। କାରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ୍ ପାରାଲିମ୍ପିକ୍ସ। ଏହା ହେଉଛି ପାରାଲିମ୍ପିକ୍ସର ୧୭ ତମ ସଂସ୍କରଣ।
ସାରା ବିଶ୍ୱର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା ହେବ। ଆଜିଠୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।
ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ। ଯେଉଁଥିରେ ୩୨ଜଣ ମହିଳା ଖେଳାଳି ରହିଛନ୍ତି। ପ୍ରଥମ ଥର ପାଇଁ ଫ୍ରାନ୍ସ ପାରାଲିମ୍ପିକ୍ସ ଆୟୋଜନ କରିବାର ସୁଯୋଗ ପାଇଛି।
ଉଦ୍ଘାଟନୀ ଉତ୍ସବ ଫ୍ରାନ୍ସର ରାଜଧାନୀ ପ୍ୟାରିସର ଐତିହାସିକ ଡି ଲା କଂକ୍ରୋଡ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ସମାରୋହରେ ଥୋମାସ ଜୋଲିଙ୍କ ନେତୃତ୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ୪୪୦୦ କ୍ରୀଡ଼ାବିତଙ୍କ ସହ ୧୮୪ଜଣ ବିଭିନ୍ନ ଦେଶର ପ୍ରତିନିଧି ସାମିଲ ହେବେ। ଉଦ୍ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ ଓ ମହିଳା ସଟ୍ପୁଟ ଫିଙ୍ଗାଳି ଭାଗ୍ୟଶ୍ରୀ ଯାଦବ ଧ୍ବଜା ବହନ କରିବେ। ସ୍ଥାନୀୟ ସମୟ ରାତି ୮ଟା ଓ ଭାରତୀୟ ସମୟ ରାତି ୧୧ଟା୩୦ରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ।
ପ୍ରତିଯୋଗିତା ୨୯ରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛି। ୨୦୨୧ ଟୋକିଓ ପାରାଲିମ୍ପିକ୍ସରେ ଭାରତ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ସହ ୧୯ଟି ପଦକ ଜିତିଥିଲା। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ପଦକ ସଂଖ୍ୟା ୨୫ ଛୁଇଁବା ଲକ୍ଷ୍ୟ ରଖିଛି। ଭାରତ ବ୍ୟାଡ଼ମିଣ୍ଟନ, ସୁଟିଂ, ତୀରନ୍ଦାଜୀ, ଦୌଡ଼କୁଦ ଓ ଟେବୁଲଟେନିସରେ ସଫଳତା ପାଇବା ନେଇ ଆଶା ରଖିଛି।
ଅନ୍ୟପଟେ ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଡୋପିଂ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାସନ୍ଦ ହୋଇଥିବାରୁ ଉକ୍ତ କ୍ରୀଡ଼ାରେ ଅଂଶଗ୍ରହଣ କରୁନାହାନ୍ତି।