Odisha Link
Bridging the Missing Links in Odisha

ଉବୁଟୁବୁ ଗୁଜରାଟ, ୨୫ ଜଣଙ୍କ ଗଲାଣି ପ୍ରାଣ

ଓଏଲ୍‌ ବ୍ୟୁରୋ: ଗୁଜରାଟରେ ପ୍ରବଳ ବର୍ଷା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି। ଚାରି ଆଡେ କେବଳ ପାଣି ଆଉ ପାଣି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ରେସକ୍ୟୁ ଟିମ୍ ଏଯାଏ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ଅନେକ ନିଖୋଜ ଅଛନ୍ତି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ରେକର୍ଡ ବର୍ଷା ହେତୁ ଗୁଜରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅଧିକାଂଶ ଡ୍ୟାମ୍ ଓଭରଫ୍ଲୋ ହୋଇଛି। ନଦୀଗୁଡ଼ିକ ବିପଦ ସଙ୍କେତ ଡେଇଁଛି। ଫଳରେ ପାଣି ପଶି ଆବାସିକ ଅଞ୍ଚଳଗୁଡିକ ଟାପୁରେ ପରିଣତ ହୋଇଛି।

ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସକଣ୍ଠା ଏବଂ ଅରାବାଳି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ପ୍ରଳୟ ଦେଖିବାକୁ ମିଳିଛି। ସବୁଠୁ ନାମୀଦାମୀ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାର୍କିଂ ହୋଇଥିବା ବାଇକ୍‌ ଓ କାର୍‌ ଭାସି ଯାଇଛି। କେବଳ ସେତିକି ନୁହେଁ ଶ୍ମଶାନରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି।

Leave A Reply

Your email address will not be published.