Odisha Link
Bridging the Missing Links in Odisha

ଭାରତର ଧନୀ ତାଲିକା: ଆଗରେ ଆଦାନୀ, ପଛରେ ପଡ଼ିଲେ ଅମ୍ବାନୀ

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇଛି ହୁରୁନ୍‌ ଧନୀ ତାଲିକା। ଯେଉଁଥିରେ ୩୩୪ ଜଣ ଭାରତୀୟ କୋଟିପତି ରହିଛନ୍ତି। ଯେଉଁଥିରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ସେହିପରି ତାଲିକାର ଦ୍ବିତୀୟ ସ୍ଥାନରେ ମୁକେଶ ଅମ୍ବାନୀ ଥିବାବେଳେ ୩ୟ ସ୍ଥାନରେ ଶିବ ନାଦର ଅଛନ୍ତି।

ସବୁଠୁ ବଡ଼କଥା ହେଲା ହୁରୁନ୍‌ ଧନୀ ତାଲିକାରେ ପ୍ରଥମ ଥର ପାଇଁ ୩୦୦ରୁ ଉର୍ଦ୍ଧ୍ବ ଭାରତୀୟ କୋଟିପତି ରହିଛନ୍ତି। ୧୩ ବର୍ଷ ପୂର୍ବେ ଜାରି ହୋଇଥିବା ତାଲିକାର ଏହା ୬ ଗୁଣା ଅଧିକ। ହୁରୁନ୍‌ ଧନୀ ତାଲିକା ୨୦୨୪ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତାଲିକାରେ ସ୍ଥାନ ପାଇଥିବା ୧୫୦୦ ଜଣ ବ୍ୟକ୍ତିଙ୍କ ସମ୍ପତ୍ତି ୧୦୦୦ କୋଟି କିମ୍ବା ତାଠୁ ଅଧିକ ରହିଛି। ବିଗତ ୭ ବର୍ଷ ତୁଳନାରେ ୧୫୦ ପ୍ରତିଶତ ବୃଦ୍ଧି ପରିଲିକ୍ଷିତ ହୋଇଛି।

ହୁରୁନ୍‌ ଧନୀ ତାଲିକା ୨୦୨୪ରେ ପ୍ରଥମ ଥର ପାଇଁ ୧୫୦୦ରୁ ଅଧିକ ବ୍ୟକ୍ତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ବିଗତ ୫ ବର୍ଷ ଅପେକ୍ଷା ଯାହା ୮୬ ପ୍ରତିଶତ ବୃଦ୍ଧି ପାଇଛି। ତାଲିକା ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ଲକ୍ଷ ୬୦ ହଜାର କୋଟି ଟଙ୍କା। ୨ୟ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦ ଲକ୍ଷ ୧୪ ହଜାର ୭୦୦ କୋଟି ରହିଛି। ହୁରୁନ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗବେଷକ ଅନସ ରହମନ ଜୁନୈଦ କହିଛନ୍ତି, ଭାରତ ଏସିଆର ଧନୀ ସୃଷ୍ଟିକାରୀ ମେସିନ ପାଲଟିଛି। ଚୀନରେ ଧନୀଙ୍କ ସଂଖ୍ୟା ୨୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଭାରତରେ ଏଥିରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି।

ଚଳିତ ଥର ଧନୀ ତାଲିକାରେ ସର୍ବକନିଷ୍ଠ କୋଟିପତି ଭାବେ ୨୧ ବର୍ଷୀୟ କୈବଲ୍ୟ ଭୋରା ଏବଂ ୨୨ ବର୍ଷୀୟ ଆଦିତ୍‌ ପାଲିଚା ସ୍ଥାନ ପାଇଛନ୍ତି। ଉଭୟେ କୁଇକ୍‌ କମର୍ସ ଷ୍ଟାର୍ଟଅପ୍‌ ଜେପ୍‌ଟୋର ସହ ପ୍ରତିଷ୍ଠାତା। ଏହାବ୍ୟତୀତ ପଥମ ଥର ଲାଗି ବଲିଉଡ୍ ଅଭିନେତା ଶାହରୁଖ ଖାନ ଏହି ତାଲିକାରେ ସାମିଲ ହୋଇଛନ୍ତି। ଶାହରୁଖଙ୍କ ମୋଟ ସମ୍ପତ୍ତି ୭ ହଜାର ୩୦୦ କୋଟି ବୋଲି ଦର୍ଶାଯାଇଛି। ଚଳିତବର୍ଷ ତାଲିକାରେ ୩୩୪ ଜଣଙ୍କ ନାଁ ସ୍ଥାନ ପାଇଛି।

 

 

Leave A Reply

Your email address will not be published.