Odisha Link
Bridging the Missing Links in Odisha

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର ଗିରଫ, ମୁଖ୍ୟମନ୍ତ୍ରୀ କହିଲେ ଶହେ ଥର…

ଓଏଲ୍‌ ବ୍ୟୁରୋ: ଆଗକୁ ରହିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଯାହାକୁ ନେଇ ଏବେଠୁ ସରଗରମ ହୋଇ ଉଠିଛି ମହରାଷ୍ଟ୍ର ରାଜୀନତି। ଏସବୁ ମଧ୍ୟରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଅନ୍ୟପଟେ ଏହି ଘଟଣାରେ ପ୍ରଥମ ଗିରଫଦାରୀ କରିଛି ପୁଲିସ। କୋଲହାପୁର କ୍ରାଇମ୍‌ବ୍ରାଞ୍ଚ ସିନ୍ଧୁଦୁର୍ଗ ଶିବାଜୀ ପ୍ରତିମା ଭୁଶୁଡ଼ିବା ଘଟଣାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଗିରଫ କରିଛି। ବର୍ତ୍ତମାନ କୋଲହାପୁର ପୁଲିସ ଅଭିଯୁକ୍ତକୁ ମାଲବନ ପୁଲିସ ଜିମା ଦେଇଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ ଚେତନ ପାଟିଲ କହିଛନ୍ତି, ଥାନେର ଏକ କମ୍ପାନୀ ପ୍ରତିମା ସମ୍ବନ୍ଧିତ କାମ କରିଥିଲା। ଆଉ ମୋତେ କେବଳ ସେହି ପ୍ଲାଟଫର୍ମ ଉପରେ କାମ କରିବାକୁ କୁହାଯାଇଥିଲା। ଯେଉଁଉପରେ ପ୍ରତିମା ଲଗା ଯାଇଥିଲା। ଏପରିକି ସେ କହିଛନ୍ତି ଯେ ପ୍ରତିମା ଭାଙ୍ଗିବା ଘଟଣାରେ ତାଙ୍କର କୌଣସି ବି ଭୂମିକା ନାହିଁ। ସୂଚନାଥାଉକି, ଅଗଷ୍ଟ ୨୬ ତାରିଖରେ ଘଣ୍ଟାପ୍ରତି ୪୫ କିମି ପଦବ ବହିବାରୁ ଶିବାଜୀଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗି ଯାଇଥିଲା।

ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଆମ ସମସ୍ତଙ୍କର ପରିଚୟ। ସେ ଆମ ଦେବତା। ଦୟାକରି ଏହାକୁ ରାଜନୀତିକରଣ କରାନଯାଉ। ମୁଁ ଥରେ ନୁହେଁ ଶହେ ଥର ଛତ୍ରପତିଙ୍କ ଚରଣରେ କ୍ଷମା ମାଗୁଛି। ଆମେ ଆମ ଦେବତାଙ୍କୁ ଅନୁସରଣ କରି ରାଜ୍ୟର ବିକାଶ କାର୍ଯ୍ୟ କରୁଛୁ। ସେଥିପାଇଁ ମୁଁ ସର୍ବଦା ଶିବାଜୀଙ୍କୁ ନମନ କରୁଛି।

ଏହି ଘଟଣାରେ ପୁଲିସ୍‌ ରୁଜୁ କରିଥିବା ମାମଲାରେ ଆର୍କିଟେକ୍‌ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା।

ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ବିରୋଧି ସିନ୍ଧେ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

Leave A Reply

Your email address will not be published.